ମେଘାଳୟ ରାଜ୍ୟପାଳ ହେଲେ ସତ୍ୟପାଲ୍ ମଲ୍ଲିକ

ନୂଆଦିଲ୍ଲୀ: ବର୍ତ୍ତମାନ ଗୋଆର ରାଜ୍ୟପାଳ ଥିବା ସତ୍ୟପାଲ୍ ମଲ୍ଲିକଙ୍କୁ ମେଘାଳୟର ନୂଆ ରାଜ୍ୟପାଳ ଭାବେ ବଦଳି କରାଯାଇଛି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

ଅନ୍ୟପଟେ ମହାରାଷ୍ଟ୍ର ରାଜ୍ୟପାଳ ଥିବା ଭଗତ ସିଂ କୋଶ୍ୟାରୀଙ୍କୁ ଗୋଆ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବାକୁ ନିର୍ଦ୍ଦେଶ ଆସିଛି। ସେ ନିଜ କାମ କରିବା ସହ ଗୋଆର ରାଜ୍ୟପାଳ ଭୂମିକା ତୁଲାଇବେ।

ସତ୍ୟପାଲ୍ ମଲ୍ଲିକ ଜାମ୍ମୁ କାଶ୍ମୀର ରାଜ୍ୟପାଳ ଥିବାବେଳେ ନିଜ ବୟାନ ବାଜିକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲେ। ଜାମ୍ମୁ କାଶ୍ମୀର ରାଜ୍ୟର ସେ ଶେଷ ରାଜ୍ୟପାଳ ଥିଲେ, ତାଙ୍କ ସମୟରେ ହିଁ ଧାରା ୩୭୦ ହଟିଥିଲା। ଏବେ ତାହା ଲଦାଖ ଠାରୁ ଅଲଗା ହୋଇ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଥିବାରୁ ସେଠାରେ ଉପରାଜ୍ୟପାଳ ଦାୟିତ୍ବରେ ଅଛନ୍ତି। ପ୍ରଫେସର ଗଣେଶୀ ଲାଲଙ୍କ ପୂର୍ବରୁ ମଲ୍ଲିକ କିଛିଦିନ ଓଡ଼ିଶାର ରାଜ୍ୟପାଳ ଦାୟିତ୍ବରେ ଥିଲେ।