ପର୍ଣ୍ଣଗ୍ରାଫି ମାମଲା: ଅଭିନେତ୍ରୀ ଶେର୍ଲିନଙ୍କୁ ଗିରଫ ଭୟ

ମୁମ୍ବାଇ : ବଲିଉଡ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣଗ୍ରାଫି କେସରେ ଏବେ ବଲିଉଡ ଅଭିନେତ୍ରୀ ଶେର୍ଲିନ ଚୋପ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ଅଭିନେତ୍ରୀଙ୍କୁ ଏବେ ଗିରଫଦାରୀରର ଭୟ ଘାରିଛି । ଗିରଫଦାରୀରୁ ବଞ୍ଚିବା ପାଇଁ ଶେର୍ଲିନ ଚୋପ୍ରା ମୁମ୍ବାଇ ସେସନ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ହେଁ ତାହା ଅଦାଲତ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । ଅନ୍ୟପଟେ ମୁମ୍ବାଇ ଅପରାଧିକ ଶାଖା ଅର୍ଥାତ କ୍ରାଇମ ବ୍ରାଞ୍ଚ ସେଲ ଶେର୍ଲିନ ଚୋପ୍ରାଙ୍କ ବୟାନ ରେକର୍ଡ ପାଇଁ ତଲବ କରିଥିଲା । କୁହାଯାଉଛି ଅଶ୍ଳୀଳ ଚଳଚ୍ଚିତ୍ର ରାକେଟ୍‌ରେ ଶେର୍ଲିନଙ୍କୁ ଚଳିତ ସପ୍ତାହରେ ପଚରାଉଚୁରା କରାଯାଇପାରେ । ଶେର୍ଲିନ ଚୋପ୍ରା ଅଭିଯୋଗ କରିଛନ୍ତି ଯେ, ରାଜ କୁନ୍ଦ୍ରା ତାଙ୍କ ଉପରେ ଯୌନ ଶୋଷଣ କରିଥିଲେ । ହେଲେ ସେ କୌଣସି ପ୍ରକାରେ ସେଥିରୁ ବଞ୍ଚି ଯାଇଛନ୍ତି । ୨୦୨୧ ଏପ୍ରିଲରେ ଶେର୍ଲିନ ଚୋପ୍ରା ରାଜ କୁନ୍ଦ୍ରାଙ୍କ ବିରୋଧରେ ଏଫଆଇଆର ରୁଜୁ କରି ସାରିଛନ୍ତି ।