ପୁଣେ: ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ କରୋନା ଟିକା କୋଭିସିଲ୍ଡର ଡାକ୍ତରୀ ପରୀକ୍ଷଣକୁ ବନ୍ଦ କରାଯାଇଛି। ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ)ର ତାଗିଦ ପରେ ଏହି ପରୀକ୍ଷଣ ରଦ୍ଦ ହୋଇଛି। ବ୍ରିଟେନରେ ଏହି ଟିକା ନେଇ ଜଣେ ଗୁରୁତର ଅସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ଆମେରିକାର ଅକ୍ସଫୋର୍ଡ କମ୍ପାନୀ ପ୍ରସ୍ତୁତ ଟିକା ହେଉଛି କୋଭିସିଲ୍ଡ। ଯାହାର ପରୀକ୍ଷଣ ବ୍ରିଟେନର ଆଷ୍ଟ୍ରାଜେନିକା ଏବଂ ଭାରତର ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରେ ଚାଲିଥିଲା। ତେବେ ବ୍ରିଟେନରେ ଜଣେ ରୋଗୀଙ୍କୁ ଏହି ଟିକା ଦିଆଯିବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଯାହାପରେ ତୁରନ୍ତ ଏହାର ପରୀକ୍ଷଣ ବନ୍ଦ କରିଥିଲା ଆଷ୍ଟ୍ରାଜେନିକା।
ହେଲେ ଭାରତରେ ପରୀକ୍ଷଣ ଜାରି ରହିବ ବୋଲି ଗତକାଲି ସେରମ୍ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଥିଲା। ଏହାକୁ ନେଇ ଡିସିଜିଆଇ ବିରକ୍ତ ହେବାସହ ଇନଷ୍ଟିଚ୍ୟୁଟକୁ ଜବାବ ମାଗିଥିଲା। ପରେ ପରୀକ୍ଷଣ ବନ୍ଦ କରାଯିବା ନେଇ ସେରମ୍ ନିଷ୍ପତ୍ତି ନେଇଛି।
ଏନେଇ ସେରମ୍ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି କି, ପରୀକ୍ଷଣରେ ସାମୟିକ ବିରତି ଦେଉଛୁ, ପରିସ୍ଥିତିକୁ ସମୀକ୍ଷା କରୁଛୁ। ଆଷ୍ଟ୍ରାଜେନିକା ପୁଣି ପରୀକ୍ଷଣ ଆରମ୍ଭ ନକରିବା ଯାଏଁ ବିରତି ଦେଉଛୁ। ଆମେ ଡିସିଜିଆଇର ନିର୍ଦ୍ଦେଶକୁ ଅନୁପାଳନ କରୁଛୁ ଏବଂ ଆଗକୁ ପରୀକ୍ଷଣ ଉପରେ ମନ୍ତବ୍ୟ ଦେବାକୁ ଅସମର୍ଥ।