ସର୍ବସାଧାରଣ ସ୍ଥାନରେ ଧାରଣାରେ ବସିବା ମନା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଶାହିନ ବାଗ୍ ରେ ନାଗରିକତା ସଂଶୋଧନ ଅଧିନିୟମ ବା ସିଏଏ ବିରୋଧରେ କରାଯାଇଥିବା ପ୍ରଦର୍ଶନ ଉପରେ ସୁପ୍ରିମକୋର୍ଟ ଏକ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଶାହିନ୍ ବାଗ ବା ଅନ୍ୟ ସର୍ବସାଧାରଣ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରଦର୍ଶନ କରାଯାଇପାରିବ ନାହିଁ। କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯିବା ଉଚିତ୍। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ଲୋକମାନଙ୍କର ଯାତ୍ରା କରିବାର ଅଧିକାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇପାରିବ ନାହିଁ। ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ପ୍ରତିବାଦ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି।

ସୂଚନା ଅନୁସାରେ , ଡିସେମ୍ବର ୨୦୧୯ରେ କେନ୍ଦ୍ର ସରକାର ସଂସଦରେ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ବିଲ୍ ପାସ କରିଥିଲେ। ଯେଉଁଥିରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା। ଏହାକୁ ନେଇ ଦିଲ୍ଲୀର ଶାହିନ୍ ବାଗ ଏବଂ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶାହିନ୍ ବାଗରେ ଲୋକେ ଧାରଣାରେ ବସି ବିରୋଧ ପ୍ରଦର୍ଶନ କରିଥିଲେ। କିନ୍ତୁ ପରେ କରୋନା ମହାମାରୀ ସହ ଲକଡାଉନ ଆରମ୍ଭ ହେବାରୁ ଲୋକେ ଧାରଣାରୁ ଉଠିଥିଲେ।