ଉଦ୍ଧବଙ୍କ ହାତରୁ ଯିବ ଶିବସେନା

ଉଦ୍ଧବ ଠାକରେଙ୍କ ହାତରୁ ଶିବସେନା ନିଶ୍ଚିତ ଭାବରେ ଯିବ ଏହାର ପ୍ରମାଣ ହୋଇସାରିଛି….

ମୁମ୍ବାଇ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବେ ଜୋରଦାର ଅଭିଯାନ ଚଳାଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ହାତରୁ ପାର୍ଟିକୁ ନେଇଯିବାର ସମସ୍ତ ବ୍ୟବସ୍ଥା କରିସାରିଛନ୍ତି । ଏକନାଥ ସିନ୍ଦେ ଏଥିଲାଗି ମିଶନ ୧୮୮ ଆରମ୍ଭ କରିଦେଇଛନ୍ତି । ଉଦ୍ଧବ ଠାକରେଙ୍କ ହାତରୁ ଶିବସେନା ନିଶ୍ଚିତ ଭାବରେ ଯିବ ଏହାର ପ୍ରମାଣ ହୋଇସାରିଛି । ସିନ୍ଦେ ନିର୍ବାଚନ କମିଶନଙ୍କୁ ତାଙ୍କ ସଂଗଠନର ନାମ ଶିବସେନା ରଖିବା ପାଇଁ ଦାବି କରିଛନ୍ତି । ଏହା ସହିତ ପାର୍ଟିର ନିର୍ବାଚନ ସଂକେତ ଧନୁ ଏବଂ ତୀର ପାଇଁ ଦାବି କରିଛନ୍ତି । ସିନ୍ଦେଙ୍କ ପକ୍ଷରେ ଶିବସେନାର ପ୍ରାୟତଃ ସମସ୍ତ ବିଧାୟକ ସାଂସଦ ଆସିସାରିଥିଲେ ସୁଦ୍ଧା ଏବେ ମଧ୍ୟ ଶିବସେନା ଉପରେ ସଂପୂର୍ଣ୍ଣ ପ୍ରଭୂତ୍ୱ ଲାଗି ସିନ୍ଦେଙ୍କ ଆଉ ଏକ ବିଜୟର ଆବଶ୍ୟକତା ରହିଛି ।

ମିଶନ ୧୮୮ ଅନ୍ତର୍ଗତ ସିନ୍ଦେ ରାଜ୍ୟରେ ଶିବସେନାର ପୁରୁଣା ଏବଂ ଅଭିଜ୍ଞ ନେତାମାନଙ୍କୁ ନିଜ ଆଡ଼କୁ ନେବାରେ ଉଦ୍ୟମ ଚଳାଇଛନ୍ତି । ଯଦି ଏଥିରେ ସେ ସଫଳ ହୁଅନ୍ତି ତେବେ ଉଦ୍ଧବ ଠାକରେଙ୍କ ଠାରୁ ସମସ୍ତ ସଦସ୍ୟ ସିନ୍ଦେଙ୍କ ଆଡ଼କୁ ଆସିଯିବେ । ଏକନାଥ ସିନ୍ଦେଙ୍କ ମିଶନ ୧୮୮କୁ ଅନୁଧ୍ୟାନ କରି ଏବେ ପର୍ଯ୍ୟନ୍ତ ରହିଥିବା ଅଧ୍ୟକ୍ଷ ଉଦ୍ଧବ ଠାକରେ ଆଲର୍ଟ ହୋଇଛନ୍ତି ।