ବିଜେପି ନେତ୍ରୀଙ୍କୁ ‘ଆଇଟମ୍’ କହି ଅଡୁଆରେ କମଲନାଥ

ଭୋପାଳ: ଅଡୁଆରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ବିଜେପି ସାଂସଦ ଇମାରତୀ ଦେବୀଙ୍କୁ ‘ଆଇଟମ୍’ କହି ଅଡୁଆରେ ପଡିଛନ୍ତି କମଲନାଥ। ଜାତୀୟ ନିର୍ବାଚନ କମିଶନ ଏ ନେଇ ମଧ୍ୟପ୍ରଦେଶ ନିର୍ବାଚନ କମିଶନଙ୍କ ପାଖରୁ ଜବାବ ତଲବ କରିଛି। ସେହିପରି ଜାତୀୟ ମହିଳା କମିଶନ ମଧ୍ୟ କମଲାନଥଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିବା ସହିତ ନିର୍ବାଚନ କମିଶନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଆଉ ଏହି ମନ୍ତବ୍ୟକୁ ନେଇ ବିଜେପିର ଶିବରାଜ ସିଂ ଚୌହାନ କହିଛନ୍ତି, କମଲନାଥଙ୍କର କଣ ହୋଇଛି? ୭୪ ବର୍ଷ ବୟସ୍କ ବିଜେପିର ଇମାରତୀ ଦେବୀଙ୍କ ବିଷୟରେ କମଲନାଥ ଯାହା କହିଛନ୍ତି ମୁଁ ତାହା ପୁନରାବୃତ୍ତି କରିପାରିବି ନାହିଁ। ଯଦି କେହି ସେମାନଙ୍କ ମା ଏବଂ ଭଉଣୀଙ୍କୁ ‘ଆଇଟମ୍’ କହିବେ, ତୁମେ ଏହାକୁ ସହିବ କି ବୋଲି ପ୍ରଶ୍ନ କରିଛନ୍ତି। ଆଉ ରାଜ୍ୟରେ ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେପି ମଧ୍ୟ ଏହାକୁ ପ୍ରସଙ୍ଗ କରି କଂଗ୍ରେସକୁ ଘେରିବାକୁ ଚେଷ୍ଟା କରିଛି।

ସେପଟେ କମଲନାଥଙ୍କ ଏହି ମନ୍ତବ୍ୟ ନେଇ କଂଗ୍ରେସ ନିରବ ରହିଛି। ହେଲେ ବିଜେପି ଏବଂ ବିଭିନ୍ନ ମହିଳା ସଂଗଠନ ଏହାକୁ ନେଇ ଆପତ୍ତି ଉଠାଇବା ପରେ ସୋମବାର ସଫେଇ ଦେଇଛନ୍ତି କମଲନାଥ। ସେ କହିଛନ୍ତି “ଆଇଟମର ଅର୍ଥ ଅନେକ ରହିଛି। ଏହି ଶବ୍ଦର ଅର୍ଥକୁ ଭଲ ଭାବରେ ନବୁଝି ମିଛ ପ୍ରଚାର କରି ଶିବରାଜ ସିଂ ଚୌହ୍ୱାନ ନିଜ ଚେୟାରକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି।”

ସେହିପରି ବିଜେପିର କାର୍ଯ୍ୟକାଳକୁ ମନେ ପକାଇ କହିଛନ୍ତି ୧୫ ବର୍ଷ ଧରି ମଧ୍ୟପ୍ରଦେଶରେ ମହିଳାଙ୍କ ପ୍ରତି କ୍ରମାଗତ ନିର୍ଯାତନା ହାର ବଢ଼ିଛି, ମହିଳାଙ୍କ ପ୍ରତି ହେଉଥିବା ଅପରାଧରେ ରାଜ୍ୟ ଶୀର୍ଷରେ ରହିଛି ବୋଲି କମଲାଥ କହିଛନ୍ତି।