ସୋଏବ ଅଖତାରଙ୍କୁ ୧୦ କୋଟି ଟଙ୍କାର ମାନହାନୀ ନୋଟିସ

ଇସଲାମବାଦ : ପାକିସ୍ତାନୀ ଟିଭି ଚ୍ୟାନେଲ ପିଟିଭି ପକ୍ଷରୁ ସୋଏବ ଅଖତାରଙ୍କୁ ୧୦ କୋଟି ଟଙ୍କାର ମାନହାନୀ ନୋଟିସ ଜାରି କରାଯାଇଛି । ରିପୋର୍ଟ ଅନୁସାରେ, ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ମ୍ୟାଚ ପୂର୍ବରୁ ଏକ ଭାରତୀୟ ଟିଭି ଚ୍ୟାନେଲରେ ଅତିଥି ଭାବେ ପହଞ୍ଚିଥିଲେ । ସେଠାରେ ଲାଇଭ ଚାଲିଥିବା ବେଳେ ପିଟିଭିରୁ ଇସ୍ତଫା ଦେବାନେଇ ଘୋଷଣା କରିଥିଲେ ଅଖତାର । ଯାହାକି ଉଭୟଙ୍କ ମଧ୍ୟରେ ହୋଇଥିବା ଏଗ୍ରିମେଣ୍ଟର ଉଲ୍ଲଂଘନ ହେବା ସହ ଚ୍ୟାନେଲର ବିପୁଳ କ୍ଷତିର କାରଣ । ‘ଅଖତାରଙ୍କୁ ପଠାଯାଇଥିବା ନୋଟିସରେ ପିଟିଭି କହିଛି ଯେ, ଚୁକ୍ତିନାମାର ଧାରା-୨୨ ଅନୁଯାୟୀ ଉଭୟ ପକ୍ଷରୁ ତିନି ମାସର ଲିଖିତ ନୋଟିସ କିମ୍ବା ଆର୍ଥିକ ନେଣଦେଣ ହିସାବ ପରେ ଯାଇ ଚୁକ୍ତିନାମାକୁ ରଦ୍ଦ କରିବାର ଅଧିକାର ପାଇବେ । କିନ୍ତୁ ଅଖତାର ଅକ୍ଟୋବର ସେ ସବୁ ନକରି ୨୬ ତାରିଖରେ ଅନ ଏୟାର ଇସ୍ତଫା ଦେଇଥିଲେ । ଏହି କାରଣରୁ ଚ୍ୟାନେଲର ବିପୁଳ ଆର୍ଥିକ କ୍ଷତି ହେବା ସହ କୌଣସି ସୂଚନା ନଦେଇ ଅଖତାର ଦୁବାଇରୁ ଚାଲିଯାଇଥିଲେ । କ୍ଷତିପୂରଣ ବାବଦକୁ ସୋଏବ ଅଖତାରଙ୍କୁ ୧୦ କୋଟି ଟଙ୍କାର ଲିଗାଲ୍‌ ନୋଟିସ ପଠାଇଛି ପିଟିଭି । ସୂଚନାଯୋଗ୍ୟ, ପିଟିଭିର ଏକ ସ୍ପୋଟ୍ସ ଡିବେଟରେ ଭାଗ ନେଇଥିଲେ ଅଖତାର । ସୋ ଜାରି ରହିଥିବା ବେଳେ, ଆଙ୍କର ଏମିତି କିଛି କହିଦେଇଥିଲେ ଯେଉଁଥି ପାଇଁ ଅଖତାର ଲାଇଭ ଡିବେଟରେ ଇସ୍ତଫା ଦେଇଥିଲେ ।