ରୋଷେଇ ଘରକୁ ଝଟ୍‌କା: ମହଙ୍ଗା ହେବ ଖାଇବା ତେଲ!

ନୂଆଦିଲ୍ଲୀ : ବିଶ୍ୱର ସର୍ବବୃହତ ପାମ ଅଏଲ ଉତ୍ପାଦନକାରୀ ଏବଂ ରପ୍ତାନିକାରୀ ଇଣ୍ଡୋନେସିଆ ଏହାର ରପ୍ତାନି ଉପରେ କଟକଣା ଲଗାଇଛି । ଯାହାର ପ୍ରଭାବ ଭାରତ ଉପରେ ପଡ଼ିବ । ସାଧାରଣତଃ ସମସ୍ତ ପ୍ରକାର ଖାଇବା ତେଲ ଯଥା ସୂର୍ଯ୍ୟମୁଖୀ, ସୋରିଷ ଏବଂ ସୋୟାବିନ ଆଦିରେ ପାମ ଅଏଲ ଏକ ପ୍ରମୁଖ କଞ୍ଚାମାଲ । ଭାରତ ଇଣ୍ଡୋନେସିଆରୁ ବିପୁଳ ମାତ୍ରାରେ ପାମ ଅଏଲ ଆମଦାନି କରିଥାଏ । ନିକଟରେ ବିଭିନ୍ନ ଦେଶରେ ଖାଇବା ତେଲ ଦାମ ବଢ଼ିବା ପରେ ଇଣ୍ଡୋନେସିଆରୁ ଏହାର ରପ୍ତାନୀ ବୃଦ୍ଧି ପାଇଥିଲା । ଫଳରେ ଇଣ୍ଡୋନେସିଆରେ ଏହା ଅଭାବ ପରିସ୍ଥିତି ଦେଖାଦେଇଛି । ଅନ୍ୟପକ୍ଷରେ ବଜାରରେ ଖାଇବା ତେଲ ଦର ଆକାଶ ଛୁଇଁଛି ।

ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ତଥା ଦେଶରେ ଉପଲବ୍ଧତା ବଢ଼ାଇବା ନିମନ୍ତେ ସେଠାକାର ସରକାର ପାମ ଅଏଲ ରପ୍ତାନି ଉପରେ ରୋକ ଲଗାଇଛନ୍ତି । ଏହି କଟକଣା ଏପ୍ରିଲ ୨୮ରୁ ଲାଗୁ ହେବ । ଫଳରେ ଭାରତ ସମେତ ସମଗ୍ର ବିଶ୍ୱରେ ଖାଇବା ତେଲ ଆହୁରି ମହଙ୍ଗା ହେବା ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ସେିହପରି ଇଣ୍ଡୋନେସିଆର ରାଷ୍ଟ୍ରପତି କହିଛନ୍ତି ଯେ, ସେ ନିଜେ ପରିସ୍ଥିତି ଉପରେ ନଜର ରଖିବେ । ଦେଶରେ ପର୍ଯ୍ୟାପ୍ତ ଖାଇବା ତେଲ ସୁନିଶ୍ଚିତ କରିବା ତଥା ଦର କମ୍‌ ରଖିବା ସରକାରଙ୍କ ପ୍ରାଥମିକତା । ସେହିପରି ଉପଲବ୍ଧତା ବଢ଼ାଇବା ପାଇଁ ଖାଇବା ତେଲ ଏବଂ ଏହାର କଞ୍ଚାମାଲ ରପ୍ତାନିକୁ ବ୍ୟାନ କରିବା ଲାଗି ନିଷ୍ପତ୍ତି ହୋଇଛି । ଏଭଳି ସ୍ଥିତିରେ ସମଗ୍ର ବିଶ୍ୱରେ ଖାଇବା ତେଲ ମହଙ୍ଗା ହୋଇଚାଲିବ ।