ଚଳିତ ମାସ 20ରୁ 28 ତାରିଖ ମଧ୍ୟରେ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି 55 ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ । ଏହି ଉତ୍ସବର ଅଧିକ ପ୍ରଚାର ପ୍ରସାର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର କେନ୍ଦ୍ରୀୟ ସଂଚାର ବ୍ୟୁରୋ, ପତ୍ର ସୂଚନା ବ୍ୟୁରୋ ଓ ସମାଜ ବିଜ୍ଞାନ ବିଭାଗର ମିଳିତ ଉଦ୍ୟମରେ ଏହି ଅଭିଯାନ ଆୟୋଜନ କରାଯାଇଛି । ସାମାଜ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡ. ରବୀନ୍ଦ୍ର ଗରଡା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ସମାଜ ବିଜ୍ଞାନ ଏବଂ ଚଳଚ୍ଚିତ୍ର ମଧ୍ୟରେ ଥିବା ସଂଯୋଗ ଉପରେ ଆଲୋକପାତ କରିଛନ୍ତି ।
ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ଼ର ଆଞ୍ଚଳିକ ଅଧିକାରୀ ତଥା ସିବିସିର ନିର୍ଦ୍ଦେଶକ ଡ. ଗିରୀଶ ଚନ୍ଦ୍ର ଦାସ ଯୋଗଦେଇ ଭାରତୀୟ ଓ ଓଡିଆ ଚଳଚ୍ଚିତ୍ରର ଗୌରବମୟ ଯାତ୍ରା ଉପରେ ଆଲୋକପାତ କରିଥିଲେ । ଆଗାମୀ ଚଳଚ୍ଚିତ୍ର ମହୋତ୍ସବ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ମାଧ୍ୟମରେ ପ୍ରଚାର ପ୍ରସାର ପାଇଁ ଛାତ୍ରଛାତ୍ରୀଙ୍କୁ ଡ ଦାଶ ପରାମର୍ଶ ଦେଇଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅବସରପ୍ରାପ୍ତ ସହକାରୀ କମିଶନର ଅଶୋକ କୁମାର ମିଶ୍ର, ଚଳଚ୍ଚିତ୍ର ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ମତ ଦେଇ ମହୋତ୍ସବରେ ଅଂଶ ହେବାକୁ କହିଥିଲେ ।
ଚଳଚ୍ଚିତ୍ର ମାଧ୍ୟମରେ ସମାଜରେ ବିଭିନ୍ନ ପରିବର୍ତ୍ତନ ଆସିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପତ୍ର ସୂଚନା କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି, ସମାଜ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ତନୟା ମହାନ୍ତି ଯୋଗ ଦେଇଥିଲେ । ସିବିସି କାର୍ଯ୍ୟକ୍ରମ ଅଧିକାରୀ ଏବଂ କ୍ଷେତ୍ର ପ୍ରଚାର ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଦେଇଥିଲେ । ଦସ୍ତଖତ ଅଭିଯାନରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।