ଲଣ୍ଡନରେ ଖଲିସ୍ଥାନୀ କ୍ଷତକୁ ନୂଆଦିଲ୍ଲୀରେ ଶିଖ ମଲମ

ଉଚ୍ଚାୟୁକ୍ତ ଶୀର୍ଷରେ ଜାତୀୟ ପତାକା ପୂର୍ବଭଳି ଉଡୁଛି….

ନୂଆଦିଲ୍ଲୀ: ଲଣ୍ଡନସ୍ଥିତ ଭାରତ ଉଚ୍ଚାୟୁକ୍ତ ନିକଟରେ ବେଆଇନ ଘୋଷିତ ଖଲିସ୍ଥାନୀ ସଂଗଠନ ପକ୍ଷରୁ ଜାତୀୟ ପତାକାକୁ ଅପମାନିତ କରାଗଲା । ତା’ର ପ୍ରତିବାଦରେ ନୂଆଦିଲ୍ଲୀ ଚାଣକ୍ୟପୁରୀସ୍ଥିତ ବ୍ରିଟିଶ ଉଚ୍ଚାୟୁକ୍ତ ନିକଟରେ ଶିଖ ସଂଗଠନ ତୀବ୍ର ପ୍ରତିବାଦ କରିଛି । ହାତରେ ତିରଙ୍ଗା ଧରି କିଛି ଶିଖ ସଂଗଠନ ‘ଭାରତ ଆମର ସ୍ୱାଭିମାନ । ଜାତୀୟ ପତାକାର ଅପମାନ ବରଦାସ୍ତ କରିବୁନି’ ଭଳି ସ୍ଲୋଗାନ ଦେଇଥିଲେ ।

ସୂଚନା ମୁତାବକ ରବିବାର କିଛି ଖଲିସ୍ଥାନୀ ସମର୍ଥକ ଲଣ୍ଡନରେ ଅବସ୍ଥିତ ଭାରତୀୟ ଉଚ୍ଚାୟୁକ୍ତରୁ ତିରଙ୍ଗା କାଢ଼ିବାକୁ ଚେଷ୍ଟା କରିଥିଲେ । ଏ ସଂପର୍କରେ ଭାରତ ସରକାର ଦିଲ୍ଲୀସ୍ଥିତ ବ୍ରିଟେନ ରାଷ୍ଟ୍ରଦୂତଙ୍କୁ ରିପୋର୍ଟ ତଲବ କରିଥିଲେ । ଇତିମଧ୍ୟରେ ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟର ଖିଡିକି ଭାଙ୍ଗିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି ।

ଭାରତୀୟ ଉଚ୍ଚାୟୁକ୍ତର ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ ଖଲିସ୍ଥାନୀ ସମର୍ଥକଙ୍କ ହୀନ ଉଦ୍ୟମକୁ ପଣ୍ଡ କରି ଦେଇଛନ୍ତି । ଉଚ୍ଚାୟୁକ୍ତ ଶୀର୍ଷରେ ଜାତୀୟ ପତାକା ପୂର୍ବଭଳି ଉଡୁଛି । ଖଲିସ୍ଥାନୀ ସମର୍ଥକଙ୍କ ହମଲା ଫଳରେ ଉଚ୍ଚାୟୁକ୍ତ ସୁରକ୍ଷା ଦାୟିତ୍ୱରେ ମୁତୟନ କର୍ମଚାରୀଙ୍କ ଭିତରକୁ ଦୁଇଜଣ ଆହତ ହୋଇଛନ୍ତି ।