ଉଦ୍ଧବଙ୍କ ନିଷ୍ପତ୍ତିକୁ ବଦଳାଇଲେ ସିନ୍ଦେ
ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ଫଡନାଭିସଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀକୁ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି…
ମୁମ୍ବାଇ: ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଏବେ ଉଦ୍ଧବ ସରକାର ନେଇଥିବା ନିଷ୍ପତ୍ତିକୁ ବଦଳାଇବା ଆରମ୍ଭ କରିଛନ୍ତି । ବିବାଦୀୟ ମେଟ୍ରୋ କାର ଶେଡ ପ୍ରକଳ୍ପ ବା କାର ପାର୍କିଂ ପ୍ରକଳ୍ପ ଉପରେ ଉଦ୍ଧବ ସରକାର ନେଇଥିବା ନିଷ୍ପତ୍ତିକୁ ସିନ୍ଦେ ବଦଳାଇଥିବା ଜଣାପଡ଼ିଛି । ୨୦୧୯ରେ ଦେବେନ୍ଦ୍ର ଫଡନାଭିସଙ୍କ ସରକାର ଅମଳରେ ମେଟ୍ରୋ କାର ଶେଡ ମୁମ୍ବାଇର ଆରେ କଲୋନୀରେ ତିଆରି କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହାକୁ ଅନ୍ୟ ଏକ ସ୍ଥାନରେ କରିବାକୁ ନିଷ୍ପତ୍ତି ନେଇଥିଲେ । କାରଣ ଏଠାରେ ପାର୍କିଂ ପାଇଁ ଗଛ କଟାକୁ ସାମାଜିକ କର୍ମୀମାନେ ଜୋରଦାର ବିରୋଧ କରିଥିଲେ ।
ତେବେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ଫଡନାଭିସଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀକୁ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ଆଡଭୋକେଟ ଜେନେରାଲ ଆଶୁତୋଷ କୁମ୍ଭାକୋନିଙ୍କୁ କୋର୍ଟରେ ତଥ୍ୟ ଦାଖଲ କରି ଆରେ କଲୋନୀରେ ହିଁ ମେଟ୍ରୋ କାର ଶେଡ ହେବ ବୋଲି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।