ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ କେନ୍ଦ୍ର କରି ପାକିସ୍ତାନ ରାଜନୀତି ସରଗରମ । କିଛିଦିନ ହେବ ଆଦିଆଲା ଜେଲରେ ଇମ୍ରାନ୍ ମୃତ ନା ଜୀବିତ, ତାକୁ କେନ୍ଦ୍ର କରି ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ତାଙ୍କୁ ଭେଟିବାକୁ କାହାରିକୁ ସୁଯୋଗ ଦେଉନଥିବା ଅଭିଯୋଗ ହୋଇଥିଲା । ବହୁ ବାଦବିବାଦ ପରେ ଇମ୍ରାନ ଖାନଙ୍କୁ ଭେଟିବା ପାଇଁ ତାଙ୍କ ଭଉଣୀ ଡକ୍ଟର ଉଜମା ଖାତୁନଙ୍କୁ ଅନୁମତି ମିଳିଛି । ଡକ୍ଟର ଉଜମା ଜେଲ ପରିସରରେ ପହଂଚିଥିବା ଖବର ଗଣମାଧ୍ୟମ ନିକଟରେ ପହଂଚିଛି । ଆଦିଆଲା ଜେଲ ବାହାରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ ପରେ ଇମ୍ରାନଙ୍କ ଭଉଣୀ ଡକ୍ଟର ଉଜମାଙ୍କୁ ଜେଲ ପ୍ରଶାସନ ଭିତରକୁ ଡାକିଥିଲା । ଜେଲ ଭିତରେ ଇମ୍ରାନଙ୍କୁ ଭେଟି ପାରିନାହାନ୍ତି ଉଜ୍ମା ।
ଆଦିଆଲା ଜେଲ ପରିସର ସୁରକ୍ଷା କଡ଼ାକଡ଼ି କରାଯାଇଛି । ଜେଲକୁ ଯାଉଥିବା ସମସ୍ତ ରାସ୍ତାରେ ପୋଲିସ ଏବଂ ରେଞ୍ଜର୍ସଙ୍କୁ ମୁତୟନ କରାଯାଇଛି । ଲୋକଙ୍କୁ ତଲାସି କରାଯାଉଛି । କେବଳ ଅଧିକୃତ କର୍ମଚାରୀଙ୍କୁ ଆଗକୁ ଯିବାକୁ ଅନୁମତି ଦିଆଯାଉଛି । ଧାରା ୧୪୪ ଏବଂ ଖୋଲା ଗୁଳି ଚାଳନା ନିର୍ଦ୍ଦେଶ ଜାରି କରାଯାଇଛି ।
ରାୱଲପିଣ୍ଡିରେ ଧାରା ୧୪୪ ଜାରି କରାଯାଇଛି, ଯାହା ଦ୍ୱାରା କୌଣସି ସମାବେଶ କିମ୍ବା ରାଲିକୁ ବାରଣ କରାଯାଇଛି । ରିପୋର୍ଟ ଅନୁଯାୟୀ, ପ୍ରଶାସନ \”ଦେଖିବା ମାତ୍ରେ ଗୁଳି ଚାଳନା\” ନିର୍ଦ୍ଦେଶ ଜାରି କରିଛି, ଅର୍ଥାତ୍ ହିଂସା କିମ୍ବା ଭଙ୍ଗାରୁଜା ହେଲେ ସୁରକ୍ଷା ବାହିନୀ ଗୁଳି ଚଳାଇ ପାରିବେ । ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ପେଶାୱରରେ ସମାନ ନିର୍ଦ୍ଦେଶ ଲାଗୁ କରାଯାଇଛି । କଠୋର କଟକଣା ଏବଂ ସୁରକ୍ଷା ବ୍ୟବସ୍ଥା ସତ୍ୱେ ପିଟିଆଇ ସମର୍ଥକ ମାନେ ଆଦିଆଲା ଜେଲ ବାହାରେ ଭିଡ଼ ଜମାଇଛନ୍ତି । ସ୍ଲୋଗାନ୍ ଜାରି ରଖିଛନ୍ତି ।