ଏନକାଉଣ୍ଟର ଭୟରେ ୬ ଗ୍ୟାଙ୍ଗଷ୍ଟରଙ୍କ ଆତ୍ମସମର୍ପଣ

ଉତ୍ତରପ୍ରଦେଶ: ଏବେ ଏନକାଉଣ୍ଟର ଭୟ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟରମାନଙ୍କୁ । ଭୟରେ ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି କୁଖ୍ୟାତ ଅପରାଧୀ । ୟୁପିରେ ଏନକାଉଣ୍ଡର ଭୟରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ଜଣ କୁଖ୍ୟାତ ଅପରାଧୀ । କୋତବାଲୀରେ ପୋଲିସ ନିକଟକୁ ଆସି ହାତଟେକି ଆତ୍ମସମର୍ପଣ କରିଛନ୍ତି ଏହି ଗ୍ୟାଙ୍ଗଷ୍ଟର । ଏମାନଙ୍କ ନାଁରେ ଅନେକ ଥାନାରେ ମାମଲା ରହିଥିବା କହିଛି ପୋଲିସ । ଆତ୍ମସମର୍ପଣ ପରେ ଏବେ ଅପରାଧ ଠାରୁ ଦୂରେଇ ରହିବାକୁ ପୋଲିସକୁ ପ୍ରତିଶୃତି ଦେଇଥିଲେ ।

ଏହି ୬ ଜଣ ଗ୍ୟାଙ୍ଗଷ୍ଟରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଜିଲ୍ଲା ଏସପି କହିଛନ୍ତି, ଏମାନଙ୍କୁ ଧରିବା ପାଇଁ ଅଭିଯାନ ଜାରି ରହିଥିଲା । ତେବେ ସେମାନଙ୍କୁ ଗିରଫ କରିବା ପୂର୍ବରୁ ସେମାନେ ଥାନାକୁ ଆସି ଆତ୍ମସମର୍ପଣ କରିଛନ୍ତି । ସେମାନେ କହିଛନ୍ତି ଆଗକୁ କୌଣସି ପ୍ରକାର ଅପରାଧ କିମ୍ବା ଅପରାଧିକ କାର୍ୟ୍ୟରେ କରିବେ ନାହିଁ । ସେମାନେ ଜେଲରୁ ଫେରିବା ପରେ ଶାନ୍ତିପୂର୍ଣ୍ଣ ଭାବେ ଜୀବନଜାପନ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଯୋଗୀ ସରକାର ଅପରାଧୀଙ୍କ ପ୍ରତି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯାନ ଚଳାଇଛନ୍ତି । ଅନେକ ଗ୍ୟାଙ୍ଗଷ୍ଟର ଏବେ ପୋଲିସ ଭୟରେ ଆତ୍ମସମର୍ପଣ କରୁଛନ୍ତି ନଚେତ ରାଜ୍ୟ ବାହାରେ ରହୁଛନ୍ତି । ୟୁପି ପୋଲିସ ଏନକାଉଣ୍ଟର ଭୟରେ ଅନେକ ଗ୍ୟାଙ୍ଗଷ୍ଟର ଆତ୍ମସମର୍ପଣ କରୁଥିବା କହିଛନ୍ତି ।