ନୂଆଦିଲ୍ଲୀ: ବର୍ଷେ କି ଦୁଇବର୍ଷ ନୁହେଁ; ପ୍ରାୟ ୧୮ ବର୍ଷ ଧରି ୟୁପି ପୁଲିସ ଓ ସିବିଆଇ ସହିତ ଲୁଚକାଳି ଖେଳୁଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଓ ରାଜନେତା ଆତିକ ଅହମ୍ମଦର ଡାହାଣ ହାତ ସାର୍ପ ସୁଟର ଅବଦୁଲ କବି । ୟେ କବି ଆଉ କେହି ନୁହେଁ, କିଛିଦିନ ତଳେ ୟୁପିର ପ୍ରୟାଗରାଜରେ ସଂଘଟିତ ଉମେଶ ପାଲ ହତ୍ୟା ମାମଲାର ମୁଖ୍ୟ କାର୍ପଟଦାର ଅବଦୁଲ କବି । ଗ୍ୟାଙ୍ଗଷ୍ଟର ଆତିକର ଅପରାଧ ଜଗତକୁ ସମୃଦ୍ଧ କରିଛି ଅବଦୁଲ କବି । ସାର୍ପ ସୁଟର କବି ବିନା ଆତିକ ଅହମ୍ମଦର ଅସ୍ତିତ୍ୱ ନାହିଁ କହିଲେ ଚଳେ ।
ମଙ୍ଗଳବାର ସକାଳେ ସୋସିଆଲ ମିଡିଆରେ ପ୍ରସାରିତ ଏକ ସିସିଟିଭି ଫୁଟେଜରେ ଅବଦୁଲ କବି ଓ ତା’ର କିଛି ଘନିଷ୍ଠ ସହଯୋଗୀଙ୍କୁ ଚିହ୍ନଟ କରାଯାଇଛି । ଅପରାଧୀ କବି, ତା’ର ସାନଭାଇ ଅବଦୁଲ କାଦିର ସମେତ ଆଉ କିଛି ଲୋକ ହାତରେ ବନ୍ଧୁକ ଧରି ରାସ୍ତା ଉପରେ ଯାଉଥିବାର ଦେଖିବାକୁ ମିଳିଥିଲା । ସିସିଟିଭି ଫୁଟେଜକୁ ଯାଂଚ କରି ପୁଲିସ ଅବଦୁଲ କାଦିରକୁ ଗିରଫ କରି ଜେଲକୁ ପଠାଇଛି । ଇତିମଧ୍ୟରେ ଅବଦୁଲ କବିର ଶଶୁର ମହମ୍ମଦ ଆବେଶ ଓ ଶାଶୁଙ୍କୁ ଥାନାକୁ ନେଇଯାଇଛି।
ସୂଚନାଯୋଗ୍ୟ, ସରାୟ ଅକିଲ ଥାନା ଅନ୍ତର୍ଗତ ଭକନ୍ଦା ନିବାସୀ ଅବଦୁଲ କବି ବିଏସପି ବିଧାୟକ ରାଜୁପାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଗତ ୧୮ ବର୍ଷ ଧରି ଅଭିଯୁକ୍ତ ଅବଦୁଲ କବି ଫେରାର ଅଛି । ପୁଲିସ ତା’ ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ୨୦୦୫ ଜାନୁଆରୀ ୨୫ ତାରିଖରେ ତକ୍ରାଳୀନ ବିଧାୟକ ରାଜୁପାଲଙ୍କୁ ଗୁଳି କରି ହତ୍ୟା କରିଥିଲା ଅବଦୁଲ କବି । ପୁଲିସ ଫାଇଲରେ ସେ ଫେରାର ଥିଲେ ମଧ୍ୟ କବି ତା’ ଘରକୁ ନିୟମିତ ଯା’ଆସ କରୁଥିବା ସଂପର୍କରେ ଗୋପନୀୟ ସୂତ୍ରରୁ ଜଣାପଡ଼ିଛି । ମାତ୍ର ଉମେଶ ପାଲଙ୍କ ହତ୍ୟା ପରଠାରୁ ତା’ର ଦେଖାଦର୍ଶନ ମିଳୁ ନଥିଲା ।