କଂଗ୍ରେସ ପ୍ରତି ମାୟାବତୀଙ୍କ ମନରେ ଏତେ ଘୃଣା?

ନୂଆଦିଲ୍ଲୀ: କଂଗ୍ରେସ ଓ ଗାନ୍ଧୀ-ନେହୁରୁ ପରିବାର ପ୍ରତି ମାୟାବତୀଙ୍କ ମନରେ କେତେ ମାତ୍ରାରେ ଘୃଣା ଭରିରହିଛି; ତା’ର ପ୍ରମାଣ ସାମ୍ନାକୁ ଆସିଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି (ବସପା) ତା’ର ସାଂସଦ ଦାନିଶ ଅଲୀଙ୍କୁ ନିଲମ୍ବିତ କରିଛନ୍ତି । ଦଳବିରୋଧୀ କାର୍ଯ୍ୟରେ ଅଭିଯୁକ୍ତ କରି ଦାନିଶଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ପ୍ରତି ବଦଳରେ ଦାନିଶ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ତାଙ୍କର ପ୍ରତିକ୍ରିୟା ଜଣାଇଛନ୍ତି ।

ଦାନିଶଙ୍କ ସ୍ପଷ୍ଟୀକରଣର ସାରାଂଶ ହେଲା, ହାତଗଣତି ପୁଞ୍ଜିପତି ସାଧାରଣ ଜନତାଙ୍କୁ ଲୁଟୁଛନ୍ତି । ସେହି ଘଟଣାକୁ ବିରୋଧ କରିବାରୁ ତାଙ୍କୁ ଦଳରୁ ବାହାର କରାଯାଇଛି । ଦୁର୍ନୀତିଗ୍ରସ୍ତ ପୁଞ୍ଜିପତିଙ୍କ ବିରୋଧରେ ଆବାଜ ଉଠାଇ ସେ କିଛି ଭୁଲ କରିନାହାନ୍ତି । ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ପାଟି ଫିଟାଇବା ଯଦି ଅପରାଧ ହୁଏ; ତେବେ ସେ ବାରମ୍ବାର ସେହି ଭୁଲ କରିବେ ଓ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରହିବେ ।

ମାତ୍ର ପ୍ରକୃତ ଘଟଣା ହେଉଛି, ସେପ୍ଟେମ୍ବର ୨୧ ତାରିଖ ଦିନ ଲୋକସଭାରେ ବସପା ସାଂସଦ ଦାନିଶ ଅଲୀଙ୍କ ବିରୋଧରେ ବିଜେପି ସାଂସଦ ରମେଶ ବିଧୁଡ଼ି ଅପମାନଜନକ ଶବ୍ଦ କହିଥିଲେ । ଉକ୍ତ ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୀନେଶ ଅଲୀଙ୍କ ବାସଭବନରେ ପହଂଚି କଥା ହୋଇଥିଲେ । ଏହି ଘଟଣାଟିକୁ ମାୟାବତୀ ହଜମ କରି ପାରିଲେନି । ତା’ର କାରଣ ମଧ୍ୟ ଯଥାର୍ଥ ଥିଲା ।

ମନେପକାନ୍ତୁ, ମଧ୍ୟପ୍ରଦେଶର କିଛି ବସପା ବିଧାୟକଙ୍କୁ ମନାଇ କଂଗ୍ରେସରେ ମିଶାଇଥିଲେ କମଳନାଥ ଯାହାକୁ ମାୟାବତୀ ଏ ଯାବତ୍‌ ଭୁଲି ପାରିନାହାନ୍ତି । ଦାନିଶଙ୍କୁ ମନାଇ କଂଗ୍ରେସରେ ମିଶାଇବା କାମ କ’ଣ ରାହୁଲଙ୍କୁ ମାଲୁମ ନାହିଁ?