ଚେନ୍ନାଇ: ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତ। ତାଙ୍କ ଜନ୍ମ ଦିନରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଫ୍ୟାନମାନେ ଟ୍ୱିଟରରେ 70th Birthday CDP ଅର୍ଥାତ ରଜନୀକାନ୍ତଙ୍କ କମନ ଡିସପ୍ଲେ ପିକଚର ଭାଇରାଲ କରିଛନ୍ତି ।ଏହାସହ ରଜନୀକାନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକମାନେ ସୋସିଆଲ୍ ମିଡିଆ ସାଇଟ୍ରେ ହାସ୍ ଟ୍ୟାଗ୍ ଦେଇ ହାପିବାର୍ଥଡେ ରଜନୀକାନ୍ତ ଲେଖି ପୋଷ୍ଟ୍ କରି ଚାଲିଛନ୍ତି। ସୋସିଆଲ୍ ମିଡିଆରେ #ଏଚ୍ବିଡିସୁପର୍ଷ୍ଟାର୍ରଜନୀକାନ୍ତ ଏବେ ଖୁବ୍ ଜୋର୍ରେ ଟ୍ରେଣ୍ଡିଂ ହେବାରେ ଲାଗିଛି।

୪ ଦଶଂଧିରୁ ଅଧିକ ଦିନ ହେବ ରଜନୀକାନ୍ତ ତାଙ୍କ ଅଭିନୟ ଦୁନିଆରେ ସକ୍ରିୟ ରହି ଆସିଛନ୍ତି। ରଜନୀକାନ୍ତଙ୍କ ନିଆରା ଅଭିନୟ ଶୈଳୀ ତାଙ୍କୁ ଯୋଗୁ ଟଲିଉଡ ଠାରୁ ଆରମ୍ଭ କରି ବଲିଉଡ, ସବୁଠି ସୁପରହିଟ । କଠିନ ପରିଶ୍ରମ ବଳରେ ସେ ଆଜି ହାସଲ କରିପାରିଛନ୍ତି ଅନେକ ଉପଲବ୍ଧି। ରଜନୀକାନ୍ତଙ୍କ ପ୍ରକୃତ ନାଁ ହେଉଛି ଶିବାଜୀ ରାଓ ଗାୟକ୍ୱାଡ । ଫିଲ୍ମକୁ ଆସିବା ପୂର୍ବରୁ ସେ ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ଘର ଚଳାଇବା ପାଇଁ ତାକୁ ବସ୍ କଣ୍ଡକ୍ଟର କାମ ମଧ୍ୟ କରିବାକୁ ପଡିଛି । କେବଳ ସତିକି ନୁହଁ ସେ ରେଲୱେ ପ୍ଲାଟଫର୍ମରେ କୁଲି କାମ ମଧ୍ୟ କରିଛନ୍ତି । ଫିଲ୍ମରେ କାମ କରିବା ପାଇଁ ପିଲାଟି ଦିନରୁ ରଜନୀକାନ୍ତଙ୍କ ସ୍ୱପ୍ନ ଥିଲା ।ଯାହାକୁ ସତ କରିବା ପାଇଁ ସେ ଅନେକ ସଂଘର୍ଷ କରି ଜୀବନରେ ସଫଳତା ପାଇଛନ୍ତି।
ସେ କନ୍ନଡ ନାଟକରୁ ସେ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ରାଜନୀକାନ୍ତ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ପୂର୍ବରୁ ତାମିଲ ଭାଷାର ଟ୍ରେନିଂ ମଧ୍ୟ ନେଇଥିଲେ। ୧୯୭୫ ମସିହାରୁ ରଜନୀକାନ୍ତ ତାଙ୍କ ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ। ତାମିଲ ଫିଲ୍ମ ‘ଅପୂର୍ବ ରାଙ୍ଗଗଲ୍’ ହେଉଛି ତାଙ୍କର ଡେବ୍ୟୁ ଫିଲ୍ମ। ସାଉଥ୍ର ଅନେକ ସୁପରହିଟ୍ ଫିଲ୍ମରେ କାମ କରିବା ପରେ ରଜନୀକାନ୍ତ ‘ଅନ୍ଧା କାନୁନ୍’, ‘ଚାଲବାଜ୍’, ‘ବୁଲନ୍ଦୀ’ ପରି ବଲିଉଡ୍ର ହିଟ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ନିକଟ ଅତୀତରେ ସେ ‘ଶିବାଜୀ’, ‘ପେଟ୍ଟା’, ‘କାଲା’, ‘୨.୦’ ଆଦି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ରଜନୀକାନ୍ତ କେବଳ ତାମିଲ, ହିନ୍ଦୀ ନୁହେଁ ମଲୟାଲମ, କନ୍ନଡ, ତେଲୁଗ ସହ ବଙ୍ଗାଲୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।
ଏଠାରେ ପ୍ରକାଶହ ଥାଉକି, ସୁପରଷ୍ଟାର ରଜନୀକାନ୍ତଙ୍କୁ ୨୦୦୦ରେ ପଦ୍ମଭୂଷଣ ଏବଂ ୨୦୧୬ରେ ପଦ୍ମବିଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଛି । ସାଉଥ ସୁପରଷ୍ଟାର ରଜନୀକାନ୍ତ କେବଳ ଫିଲ୍ମ ନୁହେଁ ରାଜନୀତିରେ ମଧ୍ୟ ବେଶ୍ ଚର୍ଚ୍ଚିତ। ଆସନ୍ତାବର୍ଷ ସେ ତାଙ୍କ ରାଜନୈତିକ ଦଳ ଗଢ଼ିବେ, ଏହାପରେ ସେ ରାଜନୀତିରେ ପଦ ରଖିବା ନେଇ ଘୋଷଣା କରିଛନ୍ତି ।