ଡିସେମ୍ବର ୯, ୨୦୨୨ ଦିନ ପିଏଲଏ ସୈନ୍ୟ ତାୱାଙ୍ଗ କ୍ଷେତ୍ରର ୟାଙ୍ଗସେରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଧସେଇ ପଶି ଏକତରଫା ଭାବେ ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ । ଚୀନର ଏହି ପଦକ୍ଷେପକୁ ଆମ ସୈନ୍ୟ ଦୃଢ ବିରୋଧ କଲେ । ଏପରି ମୁହାଁମୁହିଁ ସ୍ଥିତିରେ ଭାରତୀୟ ସେନା ପିଏଲଏର ସାହସିକତା ସହ ମୁକାବିଲା କରି ଆମ ଭୂଖଣ୍ଡ ମଧ୍ୟକୁ ସେମାନଙ୍କ ପ୍ରବେଶ ଉଦ୍ୟମ ପଣ୍ଡ କରିବା ଫଳରେ ସେମାନେ ନିଜ ପୋଷ୍ଟକୁ ଲେଉଟିବାକୁ ବାଧ୍ୟ ହେଲେ । ଏହି ସଂଘର୍ଷ ଯୋଗୁଁ ଉଭୟପକ୍ଷର କେତେକ ଯବାନ ଆହତ ହେଲେ । ମୁଁ ଗୃହକୁ ଜଣାଇବାକୁ ଚାହେଁ ଯେ, ଏଥିରେ କେହି ହେଲେ ଆମ ପକ୍ଷରୁ ମୃତ କିମ୍ବା ଗୁରୁତର ଆହତ ହୋଇନାହାଁନ୍ତି ।
ଭାରତୀୟ ସାମରିକ କମାଣ୍ଡରମାନଙ୍କ ସମୟୋଚିତ ହସ୍ତକ୍ଷେପ ଯୋଗୁଁ ପିଏଲଏ ସୈନ୍ୟମାନେ ନିଜ ସ୍ଥାନକୁ ଫେରିଯାଇଥିଲେ । ଘଟଣା ଘଟିବା ପରେ ପରେ ସେ ଅଞ୍ଚଳର ସ୍ଥାନୀୟ କମାଣ୍ଡର ତାଙ୍କ ପ୍ରତିପକ୍ଷଙ୍କ ସହ ୧୧ ଡିସେମ୍ବର ୨୦୨୨ ଦିନ ବୈଠକରେ ଏଭଳି କାର୍ଯ୍ୟରୁ ବିରତ ରହି ସୀମାରେ ଶାନ୍ତି ଓ ସ୍ଥିରତା ରକ୍ଷା କରିବାକୁ କହିଥିଲେ । କୂଟନୀତିକ ସ୍ତରରେ ମଧ୍ୟ ଚୀନ ପକ୍ଷକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି । ମୁଁ ଗୃହକୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ଆମର ସୁରକ୍ଷା ବଳ ଭୂଖଣ୍ଡର ଅଖଣ୍ଡତା ରକ୍ଷା ପାଇଁ ଅଙ୍ଗୀକାରବଦ୍ଧ ଓ ଏ ଦିଗରେ ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ । ମୋ ବିଶ୍ୱାସ ଯେ ସମଗ୍ର ଗୃହ ଆମ ସୈନ୍ୟମାନଙ୍କ ସମର୍ଥନରେ ଠିଆ ହେବ ।