ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପଥର ମାଡ । ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି । ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ହରଲାଖୀ ବିଧାନସଭା କ୍ଷେତ୍ରରେ ପହଁଚି ଯେତେବେଳେ ରାଲିକୁ ସମ୍ବୋଧିତ କରୁଥିଲେ ତାଙ୍କ ଉପରେ ପଥର ମାଡ କରାଯାଇଥିଲା ।

ପଥର ଫିଙ୍ଗିଥିବା ବ୍ୟକ୍ତି ଜୋରରେ ପାଟି କରି କହିଥିଲେ ଯେ, ବିହାରରେ ଖୁଲମ ଖୁଲା ମଦ ବିକ୍ରି ହେଉଛି । ଏହାସହ ସେ ନୀତିଶଙ୍କ ବିରୋଧରେ ନାରାବାଜି ମଧ୍ୟ କରିଥିଲେ । ଆହୁରି ମଧ୍ୟ ନୀତିଶ ମଦ ବିକ୍ରି ରୋକିବାରେ ବିଫଳ ବୋଲି ସେ କହିଥିଲେ । ଏହି ସମୟରେ ନୀତିଶଙ୍କ ସୁରକ୍ଷାକର୍ମୀ ସେହି ବ୍ୟକ୍ତିଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ । ଏହାକୁ ନେଇ ନୀତିଶ କହିଥିଲେ ଯେ, ଯେତେ ଇଚ୍ଛା ପଥର ଫିଙ୍ଗନ୍ତୁ ।
ସୂଚନା ଅନୁସାରେ, ଚଳିତ ନିର୍ବାଚନ ପ୍ରଚାର ବେଳେ ନୀତିଶଙ୍କୁ ଅନେକ ଥର ବିରୋଧର ସାମ୍ନା କରିବାକୁ ପଡିଛି । ମୁଜଫରନଗରରେ ନୀତିଶଙ୍କ ସାମ୍ନାରେ କିଛି ବ୍ୟକ୍ତି ଲାଲୁ ଜିନ୍ଦାବାଦ ନାରା ଲଗାଇଥିଲେ । ଏହାପରେ ଯେଉଁମାନେ ଲାଲୁଙ୍କ ନାରା ଲଗାଉଛନ୍ତି ସେମାନେ ଲାଲୁଙ୍କ ପାଖକୁ ଯାଆନ୍ତୁ ବୋଲି ନୀତିଶ କହିଥିଲେ ।