ବିଜେପିର ଘରଭଙ୍ଗା ରାଜନୀତିକୁ ତୀବ୍ର ସମାଲୋଚନା
ଗଣତନ୍ତ୍ରକୁ ମହାବିପଦ ‘ବିଦ୍ୱେଷମୂଳକ ରାଜନୀତି’
ମୋଦୀଙ୍କ କାର୍ଯ୍ୟକ୍ରମ ବନ୍ଦ କଲେ ନୀତୀଶ, ହେମନ୍ତ……
ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି ଆନ୍ତଃରାଜ୍ୟ ବିଜ୍ଞାନ ମହାମେଳା । ଟେଲିଭିଜନ ପରଦାରେ ଉକ୍ତ କାର୍ଯ୍ୟକ୍ରମକୁ ଦେଶର ପ୍ରାୟ ସବୁ ରାଜ୍ୟର ଜନତା ଦେଖିବାକୁ ସୁଯୋଗ ପାଇଥିଲା ବେଳେ ବିହାର ଓ ଝାଡ଼ଖଣ୍ଡର ଜନତା ସେଥିରୁ ବାଦ ପଡ଼ିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ଉପେକ୍ଷା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରହିଥିବା ଏଭଳି ସଂପର୍କ ଗଣତନ୍ତ୍ର ପାଇଁ ମହାବିପଦ ବୋଲି କୁହାଯାଉଛି ।
ଦେଶର ସବୁ ରାଜ୍ୟର ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରକୁ ଗୋଟିଏ ଛାତତଳକୁ ଆଣି ତା’ର ବିକାଶ ଅଭିଯାନକୁ ଯୁଗାନ୍ତକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି । ଉକ୍ତ ବିଜ୍ଞାନ ମହାମେଳାରେ କେବଳ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଏକଜୁଟ ହୋଇନାହାନ୍ତି । ବହୁ ବିଶିଷ୍ଟ ଉଦ୍ୟୋଗପତି, ଯୁବ ବୈଜ୍ଞାନିକ ଓ ଅନୁସନ୍ଧିତ୍ସୁ ଉକ୍ତ ମହାମେଳାକୁ ରୁଦ୍ଧିମନ୍ତ କରିଛନ୍ତି । ଏଭଳି ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମକୁ ବିହାର ଓ ଝାଡ଼ଖଣ୍ଡରେ ପ୍ରସାରଣ କରାଯାଇନି । ବିଜେପିର ଘରଭଙ୍ଗା ରାଜନୀତିକୁ ବିହାର ଓ ଝାଡ଼ଖଣ୍ଡ ନାପସନ୍ଦ କରିଛି । ବିହାରରେ ନୀତୀଶ କୁମାରଙ୍କ ସରକାର ଭାଙ୍ଗିବାକୁ ସକ୍ଷମ ହେଲାନି ବିଜେପି ।
ସେହିପରି ଝାଡ଼ଖଣ୍ଡରେ ହେମନ୍ତ ସୋରେନ୍ଙ୍କ ଖଣି ପଟ୍ଟାଦାର ମାମଲାକୁ ଅସ୍ତ୍ର କରି ବିଜେପି ନିର୍ବାଚନ ଆୟୋଗଙ୍କ ଜରିଆରେ କ୍ଷମତାକୁ ଯିବାର ଚାଲ କରୁଥିଲା ଯାହା ପରେ ବିଫଳ ହୋଇଛି । ଝାଡ଼ଖଣ୍ଡ ବିଧାନସଭାରେ ହେମନ୍ତ ସୋରେନ୍ ବହୁମତ ସାବ୍ୟସ୍ତ କରିଥିଲେ ମଧ୍ୟ ଏ ଯାବତ୍ ତାଙ୍କ ସରକାର ସୁରକ୍ଷିତ ନାହିଁ । ତା’ର ପ୍ରମୁଖ କାରଣ ହେଉଛି ନିର୍ବାଚନ ଆୟୋଗ ହେମନ୍ତ ସୋରେନଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି । ନୀତୀଶ ଓ ହେମନ୍ତଙ୍କ ବିଜେପି ବିରୋଧୀ ଆଭିମୁଖ୍ୟର ଶିକାର ହୋଇଛନ୍ତି ବିହାର ଓ ଝାଡ଼ଖଣ୍ଡ ଜନତା । ଉଭୟ ରାଜ୍ୟର ଲୋକମାନେ ଅହମ୍ମଦାବାଦରେ ଅନୁଷ୍ଠିତ ବିଜ୍ଞାନ ମହାମେଳାକୁ ଦେଖିବାର ସୁଯୋଗ ପାଇନାହାନ୍ତି ।