ହିମାଚଳ ମୁଖ୍ୟମନ୍ତ୍ରୀ ହେବେ ସୁଖବିନ୍ଦର ସୁକ୍‌ଖୁ

ସିମଲା: ସବୁ କଳ୍ପନାର ଅବସାନ ଘଟିଛି । କଂଗ୍ରେସର ସୁଖବିନ୍ଦର ସୁକ୍‌ଖୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ହାଇକମାଣ୍ଡଙ୍କ ନିଷ୍ପତିକୁ ମାନିଛନ୍ତି ପ୍ରତିଭା ସିଂହ । ସୂଚନା ପାଇବା ମାତ୍ରେ ସିଆଇଡି ସୁଖବିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରୋଟୋକଲ୍‌ ପ୍ରଦାନ କରିଛି । ପୁଲିସକୁ ଏସ୍‌କର୍ଟ ଦେବାକୁ କୁହାଯାଇଛି । କଂଗ୍ରେସର ସବୁ ବିଧାୟକ ଏବେ ବିଧାନସଭା କକ୍ଷରେ ପହଂଚିବା ଆରମ୍ଭ କରିଛନ୍ତି । ହୋଟେଲ୍‌ ସିସିଲରେ କଂଗ୍ରେସର ସଂକଟମୋଚକ ଓ ବିଧାୟକଙ୍କ ରୁଦ୍ଧଦ୍ୱାର ଆଲୋଚନା ଚାଲିଥିଲା । ଦିଲ୍ଲୀ ହାଇକମାଣ୍ଡଙ୍କ ପ୍ରତିନିଧି କଂଗ୍ରେସର ପ୍ରତି ବିଧାୟକଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିବା ପରେ ଅନ୍ତିମ ପଦକ୍ଷେପ ଗ୍ରହଣ କରିଥିଲେ ।
ପ୍ରତିଭା ସିଂହଙ୍କ ଗୋଷ୍ଠୀ ଅବଶେଷରେ ଜିଦ୍‌ରୁ ଓହରିବାକୁ ବାଧ୍ୟ ହୋଇଛନ୍ତି । ହିମାଚଳ ପ୍ରଦେଶରେ କଂଗ୍ରେସର ବିଜୟ ପାଇଁ ପ୍ରତିଭା ଗୋଷ୍ଠୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଥିଲେ । ପ୍ରତିଭା ସିଂହ ସାଂସଦ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଦୌଡ଼ରୁ ବାଦ୍‌ ପଡ଼ିଲେ । ଏବେ ପ୍ରତିଭା ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂହଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ତା’ ସହିତ ଅନୁଗତ ବିଧାୟକଙ୍କ ପାଇଁ ଅଧିକ ମନ୍ତ୍ରୀ ପଦ ଦାବି କରିଛନ୍ତି ।
ପ୍ରତିଭା ଓ ସୁକ୍‌ଖୁଙ୍କ ସପକ୍ଷରେ ୧୫-୧୫ ବିଧାୟକ ଅଛନ୍ତି । କଂଗ୍ରେସର ଅବଶିଷ୍ଟ ବିଧାୟକ ନିରପେକ୍ଷ ଅଛନ୍ତି । ୬୮ ଆସନ ବିଶିଷ୍ଟ ହିମାଚଳ ବିଧାନସଭାର ୪୦ଟି ଆସନ ଦଖଲ କରି କଂଗ୍ରେସ ଏବେ ସରକାର ଗଠନ କରିବାକୁ ଯାଉଛି ।