ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ସୁନକ, ଜନ୍ସନ୍
ଉକ୍ତ ବଜେଟରେ ଟିକସ ବୃଦ୍ଧି ଓ ମହଙ୍ଗା କଟକଣା ବନ୍ଦୋବସ୍ତ କରିଥିଲେ….
ନୂଆଦିଲ୍ଲୀ: ବ୍ରେକଜିଟ୍ ବୁଝାମଣା କରି ବ୍ରିଟେନ୍ ନିଜ ପାଇଁ ଆର୍ଥିକ ସଂକଟ ସୃଷ୍ଟି କଲା ବୋଲି ବ୍ରିଟେନର ଅର୍ଥଶାସ୍ତ୍ରୀ ଗୋଷ୍ଠୀ ମତବ୍ୟକ୍ତ କରିଛନ୍ତି । ୟୁରୋପୀୟ ସଂଘରୁ ବାଦ ପଡ଼ିବା ପୂର୍ବରୁ ବ୍ରିଟେନ ନିଜର ଅର୍ଥନୀତି ଉପରେ ଗଭୀର ବିଶ୍ୱାସ ରଖିଥିଲା । କିନ୍ତୁ ୟୁରୋପୀୟ ସଂଘ ଛାଡ଼ିବାର ମାତ୍ର ଦୁଇବର୍ଷ ଭିତରେ ବ୍ରିଟେନର ଅର୍ଥନୀତି ବାଟ ହୁଡ଼ିଗଲା । ରାଜକୋଷ ଶୂନ୍ୟ ହୋଇଗଲା । କୌଣସି ଦଳ ବା ମେଂଟ କ୍ଷମତାରେ ବେଶିଦିନ ତିଷ୍ଠି ପାରିଲାନି ।
ବିଦାୟୀ ପ୍ରଧାନମନ୍ତ୍ରୀ ଟ୍ରସ ନିକଟରେ ସଂସଦରେ ଛୋଟ ବଜେଟ୍ ଉପସ୍ଥାପନ କରିଥିଲେ । ଉକ୍ତ ବଜେଟରେ ଟିକସ ବୃଦ୍ଧି ଓ ମହଙ୍ଗା କଟକଣା ବନ୍ଦୋବସ୍ତ କରିଥିଲେ । କିନ୍ତୁ ପରେ ସରକାର ଉକ୍ତ ପଦକ୍ଷେପକୁ ପ୍ରତ୍ୟାହାର କରି ନେଇଥିଲେ । ନିର୍ବାଚନ ପ୍ରଚାର ସମୟରେ ଟ୍ରସ ଟିକସ ଛାଡ଼ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ବଜେଟରେ ଟିକସ ହାର ବୃଦ୍ଧି ନିଷ୍ପତି ନେଇ ସେ ଦଳୀୟ ସାଂସଦଙ୍କ ଅସନ୍ତୋଷର ଶିକାର ହୋଇଥିଲେ ।
ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ବ୍ରିଟେନ ରାଜନୀତିର ଭବିଷ୍ୟତ ପ୍ରତି ଆଶଙ୍କା ପ୍ରକାଶ ପାଇଛି । ବିରୋଧୀ ନେତା କିର ଷ୍ଟାରର୍ ସାନି ନିର୍ବାଚନ ଦାବି କରିଛନ୍ତି । ମାତ୍ର ଟ୍ରସଙ୍କ ପାର୍ଟି ନିର୍ବାଚନ ଏଡ଼ାଇବାକୁ ଉଦ୍ୟମ ଚଳାଇଛି । ଦଳ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଆଗ୍ରହୀ ଅଛି । ସୁନକ ଟ୍ରସଙ୍କଠାରୁ ହାରି ଯାଇଥିଲେ ମଧ୍ୟ ମୁକାବିଲା ଦମଦାର ଥିଲା । ଦଳର ଆଉ ଗୋଟିଏ ଗୋଷ୍ଠୀ ପୁଣିଥରେ ବୋରିସ ଜନସନଙ୍କୁ ପ୍ରଧାନମନ୍ତ୍ରୀ ଚଉକିରେ ବସାଇବାକୁ ଚାହୁଁଛି ।