ନୂଆଦିଲ୍ଲୀ: ଦିଲ୍ଲୀକୁ ସ୍ଥାନାନ୍ତର ହେବନି ହାଥରସ୍ ଗଣଦୁଷ୍କର୍ମ ମାମଲା । ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ନେଇ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମାମଲାର ସିବିଆଇ ତଦନ୍ଦ ଉପରେ ହାଇକୋର୍ଟ ନଜର ରଖିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ମାମଲାର ଟ୍ରାଏଲ ରାଜ୍ୟ ବାହାରକୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ମାମଲାର ତଦନ୍ତ ପୁରା ହେବା ପରେ ରାଜ୍ୟ ବାହାରେ ଟ୍ରାଏଲ୍ କରିବାକୁ ବିଚାର କରାଯିବ ଏବଂ ବର୍ତ୍ତମାନ ସିବିଆଇ ତଦନ୍ତ ଉପରେ ଆହ୍ଲାବାଦ ହାଇକୋର୍ଟ ନଜର ରଖିବେ ବୋଲି ମାନ୍ୟବର କୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ବର୍ତ୍ତମାନ ମାମଲାର ତଦନ୍ତ ସିବିଆଇ କରୁଛି। ଏଣୁ ଏହାକୁ ରାଜ୍ୟ ବାହରକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ନାହିଁ। ବାକି ସମସ୍ତ ଦିଗ ଉପରେ ହାଇକୋର୍ଟ ଦୃଷ୍ଟି ରଖିବେ।
ଶୁଣାଣି ବେଳେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଦାଖଲ ସତ୍ୟପାଠକୁ ସ୍ୱୀକାର କରିଛନ୍ତି ସୁପ୍ରିମକୋର୍ଟ । ସତ୍ୟପାଠରେ ୟୁପି ସରକାର ଦୃଢ଼ୋକ୍ତି ଦେଇଥିଲେ ଯେ, ପୀଡ଼ିତାଙ୍କ ପରିବାର ତଥା ମାମଲାର ଅନ୍ୟ ସାକ୍ଷ୍ୟ ପ୍ରମାଣମାନଙ୍କୁ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି। ଏହାସହ ମାମଲାର ସିବିଆଇ ତଦନ୍ତ କରିବାକୁ ମଧ୍ୟ ଯୋଗୀ ଆଦିତ୍ୟନାଥ ସରକାର ଦାବି କରିଥିଲେ।
ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶ ହାଥରସରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ସହ ନିର୍ମମ ଭାବେ ହତ୍ୟା ଉଦ୍ୟମ କରାଯାଇଥିଲା। ପରେ ସେପ୍ଟେମ୍ବର ୨୯ରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ସାରା ଦେଶରେ ଉତ୍ତେଜନା ଓ ଆକ୍ରୋଶ ଦେଖିବାକୁ ମିଳିଥିଲା। ପରେ ମାମଲା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପୀଡ଼ିତାଙ୍କ ପରିବାର ମାମଲାର ଟ୍ରାଏଲ ଦିଲ୍ଲୀରେ ହେବା ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ କରିଥିଲେ।