ଏମଏସ୍‌ ଧୋନୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ଆମ୍ରପଲୀ ଗ୍ରୁପ ଏବଂ ଧୋନୀଙ୍କ ମଧ୍ୟରେ ଚାଲିଥିବା ଅର୍ଥ ନେଣଦେଣ ମାମଲା ହାଇକୋର୍ଟରୁ ଯାଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଧୋନୀଙ୍କୁ ଆମ୍ରପଲୀ ଗ୍ରୁପ ପକ୍ଷରୁ ୧୫୦ କୋଟି ଟଙ୍କା ପାଇବାର ଅଛି । ଆମ୍ରପଲୀ ଗ୍ରୁପ ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ଏହି କେସ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଚାଲିଥିଲା । ବିବାଦର ସମାଧାନ ପାଇଁ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଏକ କମିଟି ଗଠନ କରାଯାଇଥିଲା ।

ଅବସରପ୍ରାପ୍ତ ବିଚାରପତି ବୀଣା ବୀରବଲଙ୍କ ନେତୃତ୍ୱରେ ଗଠିତ ଏହି କମିଟିକୁ ବିବାଦର ସମାଧାନ କରିବାକୁ କୁହାଯାଇଥିଲା । ଅଦାଲତରେ ଶୁଣାଣି ସମୟରେ ପୀଡିତଙ୍କ ପକ୍ଷ କହିଥିଲେ ଯେ, ଆମ୍ରପଲୀ ଗ୍ରୁପ ନିକଟରେ ଅର୍ଥର ଅଭାବ ରହିଛି । ତେଣୁ ସେମାନଙ୍କ ଦ୍ୱାରା ବୁକ କରାଯାଇଥିବା ଫ୍ଲାଟ ଏ ଯାଏଁ ମିଳିନି । ଧୋନି ନିଜର ମାମଲା ଧରି କମିଟିର ଦ୍ୱାରସ୍ଥ ହୋଇଛନ୍ତି । ଧୋନୀ ଆମ୍ରପଲୀ ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଥିଲେ । ତାଙ୍କୁ ଆମ୍ରପଲୀ ଗ୍ରୁପଠୁ ୧୫୦ କୋଟି ଟଙ୍କା ପାଇବାର ଅଛ । ଏବେ ପୀଡିତଙ୍କ ପକ୍ଷରୁ ଏହି ତର୍କ ଦିଆଯାଇଛି ଯେ, ଯଦି ଆମ୍ରପଲୀ ଗ୍ରୁପ ଧୋନୀଙ୍କୁ ୧୫୦ କୋଟି ଟଙ୍କା ବକେୟା ପୈଠ କରିବ ତେବେ ସେମାନଙ୍କୁ ନିଜର ଫ୍ଲାଟ ମିଳିବ ନାହିଁ । ଏହି ବାବଦରେ ଧୋନୀ ଏବଂ ଆମ୍ରପଲୀ ଗ୍ରୁପକୁ ନୋଟିସ ଜାରି କରିଛନ୍ତି ଏବଂ ନିଜ ପକ୍ଷ ରଖିବାକୁ କହିଛନ୍ତି । କିନ୍ତୁ ସୁପ୍ରିମକୋର୍ଟ ମଧ୍ୟସ୍ଥତା କମିଟିର ଶୁଣାଣି ଏବଂ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇ ନାହାନ୍ତି ।