ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ସ୍କୁଲରେ ଛାତ୍ରୀଙ୍କୁ ସାନିଟାରି ପ୍ୟାଡ୍ ଓ ପୃଥକ ଶୌଚାଳୟ
ଶୁକ୍ରବାର ଦିନ ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ….
ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛାତ୍ରୀମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ୍ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତିନିମାସ ମଧ୍ୟରେ ଏହା ପାଳନ କରିବାକୁ ସମସ୍ତ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସ୍କୁଲରେ ମାସିକ ଧର୍ମ (ମାସିକ ଋତୁସ୍ରାବ) ସମୟରେ ଝିଅମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦିଆଯାଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ବଂଚିବାର ଅଧିକାରରେ ସ୍ୱାସ୍ଥ୍ୟର ଅଧିକାର ସହିତ ମାସିକ ଧର୍ମ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ ସହିତ, କୋର୍ଟ ତାଙ୍କ ଆଦେଶରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ନିଷ୍ପତି କେବଳ ବ୍ୟବସ୍ଥାରେ ଥିବା ଲୋକଙ୍କ ପାଇଁ ନୁହେଁ, ବରଂ ସେହି ଶ୍ରେଣୀଗୃହ ପାଇଁ ଯେଉଁଠାରେ ଝିଅମାନେ ସାହାଯ୍ୟ ମାଗିବାକୁ ସଂକୋଚବୋଧ କରନ୍ତି। ଏହା ସେହି ଶିକ୍ଷକମାନଙ୍କ ପାଇଁ ଯେଉଁମାନେ ସାହାଯ୍ୟ କରିବାକୁ ଚାହାଁନ୍ତି କିନ୍ତୁ ସମ୍ବଳ ଅଭାବରୁ ଏପରି କରିପାରନ୍ତିନି। ସୁପ୍ରିମକୋର୍ଟ କହିଛନ୍ତି, ଏହି ଆଦେଶ ପିତାମାତାଙ୍କ ପାଇଁ ପ୍ରଯୁଜ୍ୟ। କୋର୍ଟ ତାଙ୍କ ଆଦେଶରେ କହିଛନ୍ତି, “ଆମେ ପ୍ରତ୍ୟେକ ଝିଅଙ୍କୁ ଏହି ବାର୍ତା ପଠାଇବାକୁ ଚାହୁଁଛୁ ଯେଉଁମାନେ ମାସିକ ଧର୍ମ ସମୟରେ ସ୍କୁଲ ଯାଇ ପାରୁନାହାଁନ୍ତି।’
ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ନିଶ୍ଚିତ କରିବା ଉଚିତ ଯେ ପ୍ରତ୍ୟେକ ସରକାରୀ କିମ୍ବା ବେସରକାରୀ ବିଦ୍ୟାଳୟରେ ଲିଙ୍ଗଗତ ପୃଥକୀକରଣ ପାଇଁ ଶୌଚାଳୟ ଏବଂ ପାଣି ସୁବିଧା ରହିଛି।
ସମସ୍ତ ନୂତନ ବିଦ୍ୟାଳୟରେ, ଭିନ୍ନକ୍ଷମ ବିଦ୍ୟାଳୟ ସମେତ, ଗୋପନୀୟତା ସୁନିଶ୍ଚିତ କରାଯିବା ଉଚିତ। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ପ୍ରତ୍ୟେକ ସ୍କୁଲର ଶୌଚାଳୟ ପରିସରରେ ଜୈବ ବିଘଟନଶୀଳ ସାନିଟାରୀ ନାପକିନ୍ ଉପଲବ୍ଧ ହେବା ନିଶ୍ଚିତ କରିବା ଉଚିତ।
ଋତୁସ୍ରାବକାଳୀନ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୟୁନିଫର୍ମ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ସହିତ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯିବା ଉଚିତ।
ସୁପ୍ରିମକୋର୍ଟଙ୍କ ଆଦେଶକୁ ରାଜ୍ୟ ଓ କେନ୍ଦ୍ର ସରକାର କେତେଦୂର ପାଳନ କରୁଛନ୍ତି, ତାହା ଦେଖିବାକୁ ପଡ଼ିବ।