ସ୍ପାଇସଜେଟକୁ ସୁପ୍ରିମକୋର୍ଟଙ୍କ ତିହାର ଜେଲ ଧମକ

‘ସେପ୍ଟେମ୍ବର ୨୨ ତାରିଖ ସୁଦ୍ଧା ୧୨.୪୫ କୋଟି ଟଙ୍କା ଦାଖଲ କର ନଚେତ୍‌ ତିହାର ଜେଲକୁ ଯିବା ପାଇଁ ପ୍ରସ୍ତୁତ ହୁଅ ।’ ଏକ ଠକେଇ ମାମଲାର ବିଚାର କରି ସୁପ୍ରିମକୋର୍ଟ ସ୍ପାଇସଜେଟ୍‌ ମୁଖିଆ ଅଜୟ ସିଂଙ୍କୁ ଏହି ଧମକ ଦେଇଛନ୍ତି । ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଅହସାନୁଦ୍ଦିନ୍‌ ଅମାନୁଲ୍ଲାହଙ୍କ ଖଣ୍ଡପୀଠ ୨୦୧୫ର କ୍ରେଡିଟ୍‌ ସୁଇସ୍‌ କେସ ମାମଲାର ଶୁଣାଣି କରି ସୋମବାର ଆଦେଶ ଜାରି କରିଛନ୍ତି । ବିଚାରପତି କହିଛନ୍ତି- ବହୁତ ବିଚାର ହୋଇଗଲା । ଏବେ ଆମକୁ କଠୋର ନିଷ୍ପତି ନେବାକୁ ପଡ଼ିବ । ସ୍ପାଇସଜେଟ୍‌ ବନ୍ଦ ହୋଇଗଲେ ଆମ ଉପରେ କିଛି ପ୍ରଭାବ ପଡ଼ିବନି । ମାତ୍ର ଅଜୟ ସିଂଙ୍କୁ ରାଜିନାମାର ପ୍ରତିଟି ସର୍ତକୁ ମାନିବାକୁ ପଡ଼ିବ ।

ପ୍ରତିଟି ଶୁଣାଣିରେ ହାଜର ରହିବାକୁ ଖଣ୍ଡପୀଠ ଅଜୟ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ନିଷ୍ପତି ମୁତାବକ ୧୨.୪୫ କୋଟି ଟଙ୍କା ଭିତରୁ ୪.୧୫ କୋଟି କିସ୍ତି ପଇଠ ବାବଦକୁ ଓ ୮.୨୯ କୋଟି ଟଙ୍କା ବକେୟା ପଇଠ ବାବଦକୁ ଦାଖଲ କରିବାକୁ ପଡ଼ିବ । ଜଣାପଡ଼ିଛି, ଅଗଷ୍ଟ ୧୪ ତାରିଖରେ ସୁପ୍ରିମକୋର୍ଟ ଅଜୟ ସିଂଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ ଜାରି କରିଥିଲେ । ଅଜୟ ସିଂ ଜାଣିଶୁଣି ରାଜିନାମା ସର୍ତକୁ ଅମାନ୍ୟ କରିଥିଲେ ବୋଲି କୋର୍ଟଙ୍କର ହୃଦବୋଧ ହୋଇଥିଲା । କୋର୍ଟଙ୍କ ଆଦେଶକୁ ଅମାନ୍ୟ କରି ଅଜୟ ସିଂ ୧୯୯.୨୫ କୋଟି ଟଙ୍କା ପଇଠ କରି ନଥିଲେ ।

ମାମଲାଟି ଏହିପରି, ବିମାନ ଇଞ୍ଜିନ ପରିଚାଳନା ପାଇଁ ସ୍ପାଇସଜେଟ୍‌ ୨୦୧୧ରେ ସ୍ୱିଜରଲ୍ୟାଣ୍ଡ କମ୍ପାନୀ ଏସଆରଟି ଟେକ୍‌ନିକ୍ସ ସହିତ ବୁଝାମଣା କରିଥିଲା । ରାଜିନାମାର ଅବଧି ୧୦ ବର୍ଷ ପାଇଁ ଥିଲା । କିନ୍ତୁ ଠିକ ସମୟରେ ପରିଚାଳନା ଖର୍ଚ୍ଚ ପଇଠ କରୁ ନଥିବା ଅଭିଯୋଗ ଆଣି ସ୍ୱିସ୍‌ କମ୍ପାନୀ ସ୍ପାଇସଜେଟ୍‌ ବିରୋଧରେ ଅଦାଲତକୁ ଯାଇଥିଲା । ମାମଲାର ବିଚାର କରି ମାଡ୍ରାସ କୋର୍ଟ ସ୍ପାଇସଜେଟକୁ ୨୦୨୧ ପର୍ଯ୍ୟନ୍ତ ବନ୍ଦ କରିଦେବାକୁ ଆଦେଶ ଦେଇଥିଲେ ।

ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରି ସ୍ପାଇସଜେଟ୍‌ ସୁପ୍ରିମକୋର୍ଟକୁ ଯାଇଥିଲା । ଆପୋଷ ଆଲୋଚନା ଜରିଆରେ ମାମଲାର ସମାଧାନ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ । ତଦନୁସାରେ ନିର୍ଦ୍ଧାରିତ ସମୟ ଭିତରେ (୨୦୨୨ ମେ’ ସୁଦ୍ଧା) କ୍ରେଡିଟ୍‌ ସୁଇସକୁ ୧୯୯ କୋଟି ଟଙ୍କା ପଇଠ କରିବାକୁ ସ୍ପାଇସଜେଟ୍‌ ରାଜି ହୋଇଥିଲା । ମାତ୍ର ପରେ ଖିଲାଫ କରିଥିଲା ।