ତାଲିବାନ ଆତଙ୍କବାଦୀଙ୍କ ଉପରେ ଆଫଗାନ ସେନାର ଏୟାରଷ୍ଟ୍ରାଇକ

କାବୁଲ: ଆଫଗାନିସ୍ତାନ ସେନା ପକ୍ଷରୁ ତାଲିବାନ ଆତଙ୍କବାଦୀଙ୍କ ଉପରେ ଏୟାର ଷ୍ଟ୍ରାଇକ କରାଯିବାରୁ ୨୧ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ସେନାର ମୁଖପାତ୍ର ମହମ୍ମଦ ହନିଫ ରେଜାଇ ଏହି ସୂଚନା ଦେଇଛନ୍ତି । ସେନା ମୁଖପାତ୍ର କହିଛନ୍ତି ଯେ ଏହି ଆକ୍ରମଣ ମୁରଗାବ, ହାସନ୍ତାବିନ୍‌, ଆଟମା ଏବଂ ନିକଟବର୍ତ୍ତୀ ଗ୍ରାମରେ ତାଲିବାନ ଆତଙ୍କବାଦୀଙ୍କୁ ଟାର୍ଗେଟ କରି କରାଯାଇଥିଲା । ଏଥିରେ ୨୧ ତାଲିବାନ ଆତଙ୍କବାଦୀ ନିହତ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନରେ ସୁରକ୍ଷା ବାହିନୀ ଏବଂ ତାଲିବାନ ମଧ୍ୟରେ ବିବାଦ ତୀବ୍ର ହୋଇଛି । ଆଫଗାନିସ୍ତାନ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରୁଥିବାବେଳେ ଦୁଇ ଦିନ ମଧ୍ୟରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ପ୍ରାୟ ୯୦ ଜଣ ଆହତ ହୋଇଛନ୍ତି । ସେହିପରି ଦୁଇ ଦିନ ତଳେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ୫୨ ତାଲିବାନ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ୪୭ ଜଣ ଆହତ ହୋଇଥିଲେ ।