ହୋଟେଲ୍‌ ରୁମ୍‌ରେ ତାମିଲ ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ମୃତଦେହ-shaksi news

ଚେନ୍ନାଇ: ତାମିଲ ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ଆଜି ଏକ ହୋଟେଲ ରୁ ଉଦ୍ଧାର କରାଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁରା ତାମିଲ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି । ଏହି ୨୮ ବର୍ଷିୟ ଅଭିନେତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ନା ତାଙ୍କୁ କେହି ହୋଟେଲ ଭିତରେ ହତ୍ୟା କରି ଫ୍ୟାନରେ ଝୁଲାଇ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନାନୁସାରେ, ଚିତ୍ରା ରାତି ସାଢ଼େ ୨ଟା ପରେ ଶୁଟିଂ ସେଟରୁ ହୋଟେଲକୁ ଫେରିଥିଲେ । ସେ ହୋଟେଲରେ ନିଜ ଭାବୀ ସ୍ୱାମୀ ତଥା ଚେନ୍ନାଇର ବଡ ବିଜନେସମ୍ୟାନ ହେମନ୍ତ ରବିଙ୍କ ସହ ରୁହୁଥିଲେ । ହେମନ୍ତ ପୁଲିସକୁ ଦେଇଥିବା ସୂଚନା ଅନୁସାରେ, ହୋଟେଲ ପହଂଚିବା ପରେ ଚିତ୍ରା ଗାଧୋଇବାକୁ ଯାଇଥିଲେ । ପରେ ବହୁ ସମୟ ଧରି ସେ ବାଥରୁମରୁ ବାହାରିନଥିଲେ । ଏହାପରେ ସେ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ କବାଟ ନଖୋଲିବାରୁ ସେ ହୋଟେଲର ଷ୍ଟାଫଙ୍କୁ ସୂଚନା ଦେଇଥିଲେ । ଡୁପ୍ଲିକେଟ ଚାବିରେ ବାଥରୁମର କବାଟ ଖୋଲିବା ପରେ ସିଲିଙ୍ଗରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପୁଲିସ ଚିତ୍ରାଙ୍କ ମୃତଦେହକୁ ଜବତ କରି ଅଟୋପ୍ସି ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ସେପଟେ ଚିତ୍ରା ବହୁ ଦିନଧରି ଡିପ୍ରେସନରେ ଥିଲେ । ଏଥିଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଚିତ୍ରାଙ୍କ ମୃତ୍ୟୁ ଖବର ପୁରା ସାଉଥ ଇଣ୍ଡଷ୍ଟ୍ରିକୁ ଶକ୍ତି ଧକ୍କା ଦେଇଛି । ଚିତ୍ରାଙ୍କ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କିଛି ଦିନ ତଳେ ହେମନ୍ତ ରବିଙ୍କ ସହ ତାଙ୍କର ନିର୍ବନ୍ଧ ସରିଥିଲା । ଏବଂ ଆଉ କିଛି ଦିନ ପରେ ତାଙ୍କର ବିବାହ ହେବା ନେଇ ମଧ୍ୟ ଯୋଜନା ଚାଲିଥିଲା ।