ଶିକ୍ଷକ ନିଯୁକ୍ତି ମହାଦୁର୍ନୀତି: ଡ୍ରାଇଭର ଭିଣୋଇଙ୍କୁ ପାର୍ଟନର କରିଛନ୍ତି ଅର୍ପିତା
କାଗଜପତ୍ରରେ କଲ୍ୟାଣ ତିନୋଟି କମ୍ପାନୀର ନିର୍ଦ୍ଦେଶକ….
କୋଲକାତା: ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ମହାଦୁର୍ନୀତିର ଗୁମର ଖୋଲୁଛି । ଦିନକୁ ଦିନ ନୂଆ ତଥ୍ୟମାନ ସାମ୍ନାକୁ ଆସୁଛି । ବୁଧବାର ଖୋଲିଛି ମହାଦୁର୍ନୀତିର ଖଳନାୟିକା ଅର୍ପିତା ମୁଖାର୍ଜୀଙ୍କର କଳା କାରନାମାର ଆଉ ଏକ ଅଧ୍ୟାୟ । ଶିକ୍ଷକ ପଦବୀରେ ନିଯୁକ୍ତି ଦେବା ଆଳରେ ବିପୁଳ ଟଙ୍କା ସଂଗ୍ରହ କରି ରାଜନେତା ପାର୍ଥ ଚାଟାର୍ଜୀଙ୍କ ସହଯୋଗରେ ତିନୋଟି କମ୍ପାନୀ ପ୍ରତିଷ୍ଠା କରିଥିଲେ ଅର୍ପିତା । ସଂପୃକ୍ତ କମ୍ପାନୀରେ ଅଂଶୀଦାର ଭାବେ ସାମିଲ କରିଥିଲେ ଭିଣୋଇ କଲ୍ୟାଣ ଧର’ଙ୍କୁ । କଲ୍ୟାଣ ଧର ପେଶାରେ ଜଣେ କ୍ୟାବ୍ ଡ୍ରାଇଭର । ଅର୍ପିତାଙ୍କ ଫାର୍ମ ହାଉସରୁ ଜବତ କାଗଜପତ୍ରରୁ ତିନୋଟି କମ୍ପାନୀ ଚାଲୁଥିବା ଜଣାପଡ଼ିଥିଲେ ମଧ୍ୟ ତଦନ୍ତରୁ ସେଭଳି କିଛି ନଥିବା ସ୍ପଷ୍ଟ ହୋଇଛି ।
ସଂକ୍ଷେପରେ କହିଲେ, ଜାଲ କମ୍ପାନୀ ପ୍ରତିଷ୍ଠା କରି କଳାଟଙ୍କାକୁ ଧଳା କରିବାର ପ୍ରୟାସ ଚାଲିଥିଲା । ଗିରଫ ଭୟରେ କଲ୍ୟାଣ ଧର ବାରଘର ବିଲେଇ ଭଳି ଲୁଚି ବୁଲୁଛନ୍ତି । ମାତ୍ର କମ୍ପାନୀ କାଗଜପତ୍ରରେ ଲିଖିତ ଠିକଣା ଖୋଜିଖୋଜି ଇଡି ପହଂଚିଥିଲା ଏକ ଛୋଟିଆ ଘରେ । କାଗଜପତ୍ରରେ କୋଟିପତି ଭାବେ ପରିଚିତ କଲ୍ୟାଣ ମାସକୁ ୧୫ ହଜାର ଟଙ୍କା ରୋଜଗାର କରନ୍ତି । ତାଙ୍କ ପାଖରେ ବାଇକଟିଏ ମଧ୍ୟ ନାହିଁ ।