ତେଲେଙ୍ଗାନାବାସୀ ଡବଲ ଇଞ୍ଜିନ ସରକାର ଚାହାନ୍ତି: ମୋଦୀ

ଏବେ ସେମାନେ ଦେଶ ବିକାଶରେ ଅଧିକ ଯୋଗଦାନ ଦେଇ ପାରିବେ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କେସିଆରଙ୍କ ଗଡରେ ଗର୍ଜିଛନ୍ତି । ତେଲେଙ୍ଗାନାବାସୀ ପରିବର୍ତ୍ତନ ଚାହୁଁଥିବା ମୋଦୀ କହିଛନ୍ତି । ସେମାନେ ତେଲେଙ୍ଗାନାରେ ଡବଲ ଇଞ୍ଜିନ ସରକାର ଚାହାନ୍ତି । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ବିଜୟ ସଂକଳ୍ପ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲେଙ୍ଗାନାର ଗରିବଙ୍କୁ ମାଗଣା ରାସନ ମିଳୁ, ମାଗଣା ଚିକିତ୍ସା ହେଉ ଏବଂ ବିଜେପି ସରକାରଙ୍କ ନୀତିର ଲାଭ ସଭିଙ୍କୁ ବିନା ଭେଦଭାବରେ ମିଳିବା ଉଚିତ । ଏହାକୁ ହିଁ ସବକା ସାଥ, ସବକା ବିକାଶ କୁହାଯାଏ ।

୨୦୧୯ ନିର୍ବାଚନରେ ବିଜେପି ଯେତେ ଜନସମର୍ଥନ ତେଲେଙ୍ଗାନାରେ ହାସଲ କରିଥିଲା, ସେଥିରେ ନିରନ୍ତର ବୃଦ୍ଧି ଘଟି ଚାଲିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ମିଳୁଛି । ଏବେ ସେମାନେ ଦେଶ ବିକାଶରେ ଅଧିକ ଯୋଗଦାନ ଦେଇ ପାରିବେ । ବିଜେପି ଏହି ସେବା ଭାବର ଲାଭ ତେଲେଙ୍ଗାନାର ପ୍ରତ୍ୟେକ ଗରିବ, ପଛୁଆ, ଦଳିତ ଏବଂ ମଧ୍ୟମ ବର୍ଗକୁ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।