ଚୀନି ହୋଟେଲ ଉପରେ ଆତଙ୍କୀ ହମ୍‌ଲା

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଚୀନି ହୋଟେଲ ନାମରେ ଲୋକପ୍ରିୟ ରେସ୍ତୋରାଁ ଓ ଗେଷ୍ଟ ହାଉସ୍‌ ଉପରେ ହମ୍‌ଲା କରାଯାଇଛି । ସୋସିଆଲ ମିଡିଆ ମୁତାବକ, ଉକ୍ତ ହୋଟେଲରେ ବହୁତ ଚୀନ ନାଗରିକ ଅଟକି ରହିଛନ୍ତି । ହୋଟେଲର ଗୋଟିଏ ପାଖରୁ ନିଆଁ ସାଙ୍ଗକୁ ଧୂଆଁ ଦୃଶ୍ୟମାନ ହେଉଛି । ଘଟଣା ସଂପର୍କରେ ଆଫଗାନିସ୍ତାନର ତାଲିବାନ ଶାସକ ଅବା ଚୀନ ଦୂତାବାସ ପକ୍ଷରୁୂ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ହୋଟେଲ ଭିତରେ କିଛି ଫିଦାୟୀନ ଆକ୍ରମଣକାରୀ ଉପସ୍ଥିତ ଥିବାର ସୂଚନା ମିଳେ ।

ସନ୍ଧ୍ୟାରେ ମଧ୍ୟ ହୋଟେଲ ଭିତରୁ କ୍ଷଣକୁ କ୍ଷଣ ଗୁଳି ଶବ୍ଦ ଶୁଣାଯାଉଛି । କୌତୁହଳର ବିଷୟ ହେଉଛି, ଚୀନ୍‌ ରାଷ୍ଟ୍ରଦୂତ ତାଲିବାନ ଅଧିକାରୀଙ୍କ ସହ ଚୀନ୍‌ ଦୂତାବାସ ସୁରକ୍ଷା ସଂପର୍କୀତ ଆଲୋଚନା କରୁଥିବା ସମୟରେ ହିଁ ରେସ୍ତୋରାଁ ଉପରେ ଚଡ଼କ ପଡ଼ିଲା । ଚୀନର ବହୁ କୂଟନୀତିଜ୍ଞ ଉକ୍ତ ରେସ୍ତୋରାଁରେ ପାଦ ପକାଇଛନ୍ତି । ଦୁଇସପ୍ତାହ ତଳେ କାବୁଲସ୍ଥିତ ପାକିସ୍ତାନ ଦୂତାବାସ ଉପରେ ଗୁଳିମାଡ଼ କରାଯାଇଥିଲା ।

ଗୁଳିମାଡ଼ରେ ପାକ୍‌ ଦୂତାବାସର ଜଣେ ଅଧିକାରୀ ଗୁରୁତର ଆହତ ହୋଇଥିଲେ । ହମ୍‌ଲାର ଶିକାର ହୋଇଥିବା ହୋଟେଲଟିର ପ୍ରକୃତ ନାମ ଶେର-ଏ-ନା । ସେଠାରୁ କେଇ ଗଜ ଦୂରତାରେ ଗେଷ୍ଟ୍‌ ହାଉସ୍‌ଟିଏ ଅଛି । ଅଧିକାଂଶ ସମୟରେ ଉକ୍ତ ହୋଟେଲ ଓ ଗେଷ୍ଟ୍‌ ହାଉସରେ ଚୀନ ନାଗରିକଙ୍କ ସମେତ ରାଷ୍ଟ୍ରଦୂତମାନଙ୍କ ଉପସ୍ଥିତି ଦେଖିବାକୁ ମିଳେ । ଉକ୍ତ କୋଠାରେ ସ୍ନୁକର ହଲ୍‌ ଓ ସନ୍ତରଣାଗାର ଭଳି ସୁବିଧାମାନ ରହିଛି । ଗତ ଅଗଷ୍ଟରେ ଏକ ମସଜିଦରେ ନମାଜ ପାଠ ଚାଲିଥିବା ସମୟରେ ଆତଙ୍କୀ ହମ୍‌ଲା କାରଣରୁ ପ୍ରାୟ ୨୦ ଜଣ ଲୋକ ପ୍ରାଣ ହରାଇଥିଲେ ।