ବୁଡଗାମ: ଜମ୍ମୁ-କଶ୍ମୀରର ବୁଡଗାମ ଜିଲ୍ଲାରେ ଆତଙ୍କବାଦୀମାନେ ସିଆରପିଏଫ ଦଳ ଉପରେ ଆକ୍ରମଣ କରିଛନ୍ତି, ଯେଉଁଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଏହି ଘଟଣା ବୁଡଗାମ ଜିଲ୍ଲାର ଚଡୁରା ଅଞ୍ଚଳରେ ଘଟିଛି।
ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଆକ୍ରମଣ ପରେ ସିଆରପିଏଫ ଯବାନ ଆହତ ହୋଇଥିଲେ, ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।
ସକାଳ ପ୍ରାୟ ୭ଟା ୪୫ମିନିଟ ସମୟରେ ଏହି ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ହଠାତ ସିଆରପିଏଫ ୟୁନିଟ୍ ଉପରେ ଆକ୍ରମଣ କରିଥିଲେ। ଏହାର ଜବାବ ଦେବା ପାଇଁ ସିଆରପିଏଫ ଯବାନ ଗୁଳି ଚଳାଇଥିଲେ। ଦୁଇ ପକ୍ଷ ମଧ୍ୟରେ ଗୁଳିବର୍ଷା ଚାଲୁଥିବା ବେଳେ ଏଏସଆଇ ରାଙ୍କର ଜଣେ ସିଆରପିଏଫ ଅଧିକାରୀ ଆହତ ହୋଇଥିଲେ। ଏହା ପରେ ଆତଙ୍କବାଦୀମାନେ ସେମାନଙ୍କ ରାଇଫଲ ଛଡ଼ାଇ ନେଇ ସେଠାରୁ ଖସି ପଳାଇଥିଲେ। ଜଣେ ସୁରକ୍ଷାକର୍ମୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଏକ ମୋଟରସାଇକେଲରେ ଆସିଥିଲେ। ବର୍ତ୍ତମାନ ଏହି ଆତଙ୍କବାଦୀଙ୍କୁ ଧରିବା ପାଇଁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।