ଶ୍ରୀଲଙ୍କାରେ ଥମୁନି ରାଜନୈତିକ ସଙ୍କଟ

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଥମିବାର ନାଁ ନେଉନାହିଁ । ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟର ୨୬ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ବିକଳ୍ପ ସରକାରରେ ସାମିଲ ହେବା ପ୍ରସ୍ତାବକୁ ବିରୋଧୀ ଦଳଗୁଡିକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । କ୍ଷମତାସୀନ ମେଣ୍ଟରୁ ୪୧ ଜଣ ସାଂସଦ ଓହରିଯିବା ଫଳରେ ରାଜପକ୍ଷେଙ୍କ ସରକାର ବର୍ତ୍ତମାନ ସଂଖ୍ୟାଲଘୁରେ ପରିଣତ ହୋଇଛି । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଶ୍ରୀଲଙ୍କା ଫ୍ରିଡମ ପାର୍ଟିର ନେତା ମୈତ୍ରିପାଲା ସିରିସେନା କହିଛନ୍ତି । ଗତ ନିର୍ବାଚନରେ ସଂସଦର ମୋଟ ୨୨୫ ଆସନ ମଧ୍ୟରୁ ମେଣ୍ଟ ସରକାର ୧୪୫ ଆସନ ହାସଲ କରି କ୍ଷମତା ଅକ୍ତିଆର କରିଥିଲା ।

ବର୍ତ୍ତମାନ ୪୧ ସାଂସଦ ଇସ୍ତଫା ଦେବା ଫଳରେ ସରକାରଙ୍କ ପାଇଁ ଆସ୍ଥାଭୋଟ ଲୋଡିବା ଜରୁରୀ ହୋଇପଡିଛି । ଅନ୍ୟପକ୍ଷରେ ସଂଖ୍ୟାଲଘୁରେ ପରିଣତ ହେବାପରେ ଗୋତବାୟା ରାଷ୍ଟ୍ରପତି ପଦରୁ ତୁରନ୍ତ ଇସ୍ତଫା ଦେବାକୁ ଦାବି ହେଉଥିବା ଜଣାପଡିଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବାସଭବନ ସମ୍ମୁଖରେ ଶତାଧିକ ଛାତ୍ର ଓ ଆଇନଜୀବୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କା ବର୍ତ୍ତମାନ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି । ସେଠାରେ ଦରଦାମ ଅହେତକୁ ବୃଦ୍ଧି ଯୋଗୁ ଜନସାଧାରଣ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ସେହିପରି ଶ୍ରୀଲଙ୍କାରେ ବର୍ତ୍ତମାନ ଔଷଧପତ୍ରର ଘୋର ଅଭାବ ଦେଖାଦେଇଛି । ସୂଚନାଯୋଗ୍ୟ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାବେଳେ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇପାରୁନାହାନ୍ତି । ଜନ ଅସନ୍ତୋଷ ତୀବ୍ର ହେବାରୁ ରାଷ୍ଟ୍ରପତି ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିସାରିଛନ୍ତି ।