ନଷ୍ଟ ହେଲାଣି ଆମାଜନ ଜଙ୍ଗଲର ୩୭୫୦ ବର୍ଗକିମି ଅଞ୍ଚଳ

ଏଭଳି ସ୍ଥିତି ଉପୁଜିଲେ ଜଙ୍ଗଲ କମ ସମୟ ମଧ୍ୟରେ ନିଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା କରାଯାଉଛି….

ନୂଆଦିଲ୍ଲୀ: ପୃଥିବୀର ଫୁସଫୁସ କୁହାଥିବା ଆମାଜନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । ନିଆଁ ଲାଗିବା ଏବଂ ଅନ୍ୟ କାରଣରୁ ଏହି ଜଙ୍ଗଲର ୩,୭୫୦ ବର୍ଗ କିଲୋମିଟର ଅଞ୍ଚଳ ନଷ୍ଟ ହେଲାଣି । ବ୍ରାଜିଲର ଆଇଏନପିଇ ପକ୍ଷରୁ ଏହି ଆକଳନ କରାଯାଇଛି । ଆଇଏନପିଇ ଉପଗ୍ରହରୁ ନିଆଯାଇଥିବା ତଥ୍ୟ ମୁତାବକ, ଚଳିତବର୍ଷ ଜାନୁଆରୀ ୧ରୁ ଜୁନ ୨୪ ମଧ୍ୟରେ ଆମାଜନ ଜଙ୍ଗଲର ୩,୭୫୦ ବର୍ଗ କିଲୋମିଟର କ୍ଷୟ ହୋଇଯାଇଛି । ୨୦୧୬ ପରଠାରୁ ଏହା ସର୍ବାଧିକ ଜଙ୍ଗଲ ନଷ୍ଟ ବୋଲି ଆକଳନ କରାଯାଇଛି । କେବଳ ଗତମାସରେ ଜଙ୍ଗଲର ୨,୫୬୨ ସ୍ଥାନରେ ନିଆଁ ଲାଗିଥିବା ଜାଣିବାକୁ ମିଳିଛି । ଶୁଖିଲା ପାଗ ଯୋଗୁ ପ୍ରତିବର୍ଷ ମେ-ଜୁନ୍‌ରେ ଜଙ୍ଗଲରେ ନିଆଁ ଲାଗି ନଷ୍ଟ ହୋଇଥାଏ । କିନ୍ତୁ ଏଥର ବର୍ଷ ଆରମ୍ଭରୁ ତାହା ଦେଖିବାକୁ ମିଳିଛି ।

ଏଭଳି ସ୍ଥିତି ଉପୁଜିଲେ ଜଙ୍ଗଲ କମ ସମୟ ମଧ୍ୟରେ ନିଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ମେ ମାସରେ ଆମାଜନ ରେନ ଫରେଷ୍ଟର ୨,୨୮୭ ସ୍ଥାନରେ ନିଆଁ ଲାଗିଥିବା ଆଇଏନପିଇ ଜାଣିବାକୁ ପାଇଥିଲା । ବୋଲସୋନାରୋ ଜଙ୍ଗଲର ସୁରକ୍ଷା ପରିବର୍ତ୍ତେ ରାଜସ୍ୱ ଆୟ ପାଇଁ ଜଙ୍ଗଲ ପଦା କରିବାକୁ ଉତ୍ସାହିତ କରୁଛନ୍ତି । କିଛି ବୈଜ୍ଞାନିକ ଆକଳନ କରିଛନ୍ତି ଯେ ଅକ୍ଟୋବରରେ ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଜଙ୍ଗଲ ନଷ୍ଟ ମାତ୍ରା ବୃଦ୍ଧି ପାଇବ । କାରଣ ପୂର୍ବ ୩ଟି ନିର୍ବାଚନରେ ସମାନ ଘଟଣା ଦେଖିବାକୁ ମିଳିଥିଲା ।