ସିଓଲ: ୨୦୨୩ ଜାନୁଆରୀ ପହିଲାରୁ ଦକ୍ଷିଣ କୋରିଆ ଜନତାଙ୍କର ବୟସ ଏକବର୍ଷ ଲେଖାଏଁ କମିବାକୁ ଯାଉଛି । ଖବରଟି ପଢ଼ିଲା ବେଳକୁ ଟିକେ ଅଡୁଆ ଲାଗୁଥିବ । ମାତ୍ର କୋରିଆର ଅଜବ ବୟସ ନୀତି ଶୁଣିବା ପରେ ସଠିକ ବୁଝିପାରିବେ । କୋଭିଡ୍ ଟୀକାକରଣ ସମୟରେ ବୟସର ଭଉଁରୀରେ ପଡ଼ି କୋରିଆ ସରକାର ଛଟପଟ ହେଲା ପରେ ଆନ୍ତର୍ଜାତିକ ବୟସ ନୀତିକୁ ଆଦରିବା ପାଇଁ ରାଜି ହୋଇଛନ୍ତି ।
ଅବଶ୍ୟ ଆଜିର ରାଷ୍ଟ୍ରପତି ତାଙ୍କର ନିର୍ବାଚନ ଇସ୍ତାହାରରେ କୋରିଆର ବୟସ ପରମ୍ପରାକୁ ହଟାଇବା ଉପରେ ଜୋର ଦେଇଥିଲେ । ନୂଆ ବୟସ ଆଇନ ବଳରେ କୋରିଆର ୫.୭ କୋଟି ଲୋକଙ୍କ ବୟସ ଏବେ ବର୍ଷେ ଅବା ଦୁଇବର୍ଷ କମିବାକୁ ଯାଉଛି । ଦକ୍ଷିଣ କୋରିଆର ପାରମ୍ପରିକ ନୀତି ଅନୁସାରେ ପିଲାଟି ଜନ୍ମ ହେବାମାତ୍ରେ ତା’ର ବୟସ ଏକବର୍ଷ ଲିପିବଦ୍ଧ କରାଯାଏ । ଜନ୍ମ ହେବାର ବର୍ଷକ ପରେ ତା’ର ବୟସ ଦୁଇବର୍ଷ ହୋଇଯାଏ ।
ସଂକ୍ଷେପରେ କହିଲେ, ୨୦୨୧ ଡିସେମ୍ବର ୩୧ ତାରିଖ ରାତି ବାରଟା ପୂର୍ବରୁ ଜନ୍ମିତ ପିଲାଟିର ବୟସ ଏକବର୍ଷ ବୋଲି କାଗଜପତ୍ରରେ ଲେଖାଗଲା । ୨୦୨୨ ଜାନୁଆରୀ ପହିଲାରେ ତା’ର ବୟସ କାଗଜପତ୍ରରେ ଦୁଇବର୍ଷ ହୋଇଯିବ । ପୃଥିବୀର ଆଉ କୌଣସି ଦେଶରେ ଏଭଳି ଅଜବ ବୟସ ନୀତି ଲାଗୁ କରାଯାଇନି । ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁଙ୍ଗ ସୋକ୍ ୟୋଲ ପୁରୁଣାକାଳିଆ ବୟସ ନୀତିକୁ ଘୋର ସମାଲୋଚନା କରନ୍ତି । କୋଭିଡ୍ ଟୀକାକରଣ ସମୟରେ ଆନ୍ତର୍ଜାତିକ ସ୍ତରରେ ବୟସକୁ ଅଧିକ ଗୁରୁତ୍ୱ ଦିଆଗଲା ।
୬୦ ବର୍ଷରୁ ଅଧିକ, ୫୦-୬୦, ୪୦-୫୦, ୧୮-୪୦, ୧୮ ବର୍ଷରୁ କମ୍ ବୟସର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ ବ୍ୟବସ୍ଥା ଲାଗୁ ହେବାରୁ କେବଳ ଦକ୍ଷିଣ କୋରିଆରେ ଟୀକାକରଣ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେଲା । ଦକ୍ଷିଣ କୋରିଆ ଲୋକମାନେ ବାସ୍ତବ ତ୍ରୁଟିକୁ ଅନୁଭବ କରିପାରିଲେ । ପୁରୁଣାକାଳିଆ ପରମ୍ପରା ଯେ ଏପରି ହରଡ଼ଘଣାରେ ପକାଇବ, ସେମାନଙ୍କର ହୃଦବୋଧ ହେଲା ।
ପରିଣାମ ସ୍ୱରୂପ, ଦକ୍ଷିଣ କୋରିଆର ସବୁବର୍ଗର ଲୋକମାନେ ପାରମ୍ପରିକ ବୟସ ନିୟମକୁ ହଟାଇବା ପାଇଁ ଦୃଢ଼ ଦାବି କଲେ । ଫଳସ୍ୱରୂପ ୨୦୨୩ ଜାନୁଆରୀ ପହିଲାରୁ ଦକ୍ଷିଣ କୋରିଆ ସରକାର ଆନ୍ତର୍ଜାତିକ ସ୍ତରର ବୟସ ନୀତିକୁ କାର୍ଯ୍ୟକାରୀ କରୁଛନ୍ତି । ନୂତନ ଆଇନ ବଳରେ ଏବେ ସେଠାକାର ଲୋକଙ୍କ ବୟସ କାଗଜପତ୍ରରେ ବର୍ଷେ ଓ ଦୁଇବର୍ଷ କମାଇ ଦିଆଯିବ ।