ପୋଷଣଯୁକ୍ତ ଚାଉଳ ବଣ୍ଟନ ଲାଗି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ସମସ୍ତ ସରକାରୀ ଯୋଜନାରେ ଅତିରିକ୍ତ ପୋଷଣ-ଯୁକ୍ତ ଚାଉଳ ବିତରଣ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ମନ୍ତ୍ରଣାଳୟ । ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଏବଂ ଅନ୍ୟାନ୍ୟ ଯୋଜନା ଅଧୀନରେ ତିନୋଟି ପର୍ଯ୍ୟାୟରେ ପୁଷ୍ଟିକର ଚାଉଳ ବଣ୍ଟନ ଲାଗୁ ହେବ । ବିଭିନ୍ନ କଣ୍ଟ୍ରୋଲ ଦୋକାନ ସହିତ ଅଙ୍ଗନବାଡି ଏବଂ ସ୍କୁଲରେ ଏହି ପୋଷଣଯୁକ୍ତ ଚାଉଳର ଭାତ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହି ଯୋଜନା ପାଇଁ ୨୭୦୦ କୋଟିର ଅର୍ଥରାଶି ମଞ୍ଜୁର କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ଏକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ସେ ଆହୁରି କହିଛନ୍ତି ଯେ ଏହି ପରିପ୍ରେକ୍ଷୀରେ ଯୋଗାଣ ଏବଂ ବଣ୍ଟନ ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଏବଂ ରାଜ୍ୟ ଏଜେନ୍ସି ଗୁଡିକ ୮୮.୬୫ ଲକ୍ଷ ଟନ ଅତିରିକ୍ତ ପୁଷ୍ଟିକର ଚାଉଳ କିଣିସାରିଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଠାକୁର କହିଛନ୍ତି । ଏହା ସହିତ ୨୦୨୪ ବର୍ଷ ସୁଦ୍ଧା ପର୍ଯ୍ୟାୟ କ୍ରମେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ବାର୍ଷିକ ୨,୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ, ଯାହା କେନ୍ଦ୍ର ସରକାର ବହନ କରିବେ ।