ଲଦାଖର ଗୋଗରା ସୀମାରୁ ହଟୁଛନ୍ତି ଉଭୟ ଦେଶର ସେନା
ଫଳରେ ଦୁଇଦେଶର ସେନା ବହୁବାର ମୁହାଁମୁହିଁ ଅବସ୍ଥାକୁ ଚାଲି ଯାଉଛନ୍ତି…….
ନୂଆଦିଲ୍ଲୀ : ଗୁରୁବାରଠାରୁ ଲଦାଖର ଗୋଗରା-ହଟ୍ (ପିପି-୧୫) ପଏଂଟରୁ ଭାରତ-ଚୀନ ସେନା ପ୍ରତ୍ୟାହାର ଆରମ୍ଭ କରିଛନ୍ତି । କମାଣ୍ଡର ସ୍ତରୀୟ ଆଲୋଚନାର ଷୋଡ଼ଶ ପର୍ଯ୍ୟାୟରେ ଉଭୟ ପକ୍ଷ ବୁଝାମଣା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏକ ମିଳିତ ବିବୃତିରେ ଉଭୟ ପକ୍ଷ ୨୦୨୨ ସେପ୍ଟେମ୍ବର ୮ ତାରିଖରୁ ସେନା ହଟାଇବା ପାଇଁ ରାଜି ହୋଇଥିଲେ । ଜୁଲାଇ ୧୭ ତାରିଖରେ ଭାରତ-ଚୀନ ମଧ୍ୟରେ ଷୋଡ଼ଶ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା ।
ଭାରତ-ଚୀନ ବିବାଦର ମୂଳ କାରଣ ହେଉଛି ୩୪୪୦ କିମି ବିଶିଷ୍ଟ ସୀମା । ଦୁଇ ଦେଶ ସୀମାନ୍ତକୁ ଲାଗି ରହିଥିବା ନଦୀ, ହ୍ରଦ, ବରଫାବୃତ ଇଲାକାକୁ ସଠିକ୍ ଭାବେ ଚିହ୍ନଟ କରାଯାଇ ନଥିବାରୁ ବିବାଦର ଆଶୁ ସମାଧାନ ହୋଇପାରୁନି । ଫଳରେ ଦୁଇଦେଶର ସେନା ବହୁବାର ମୁହାଁମୁହିଁ ଅବସ୍ଥାକୁ ଚାଲି ଯାଉଛନ୍ତି । ଉଭୟ ଦେଶ ମଧ୍ୟରେ ବାସ୍ତବ ସୀମାରେଖା ଚିହ୍ନଟ ହୋଇଥିଲେ ମଧ୍ୟ ଚୀନସେନା ମଝିରେ ମଝିରେ ମନମାନି କରିବାରୁ ଭାରତ ପାଲଟା ଜବାବ ଦେବାକୁ ବାଧ୍ୟ ହେଉଛି । ୨୦୨୦ ଜୁନରେ ଗଲୱାନ୍ ଉପତ୍ୟକାରେ ଭାରତ-ଚୀନସେନା ମଧ୍ୟରେ ଏକପ୍ରକାର ଖଣ୍ଡଯୁଦ୍ଧ ଆରମ୍ଭ ହୋଇଗଲା ।
ଗଲୱାନ ପାହାଡ଼ିଆ ଇଲାକାରେ ଚୀନ ପକ୍ଷରୁ ରାସ୍ତା କାମ ଚାଲିଥିବା ବେଳେ ଭାରତୀୟ ସେନା ତା’ର ପ୍ରତିବାଦ କରିଥିଲା । କଥା କଟାକଟିରୁ ହାତାହାତି ହେବାରୁ ଉଭୟ ପକ୍ଷର କିଛି ସୈନ୍ୟ ମୃତାହତ ହୋଇଥିଲେ । ତା’ ପରଠାରୁ ଉଭୟ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଥିଲା ।