ପାକିସ୍ତାନ କ୍ରିକେଟ ବୋର୍ଡର ପ୍ରସ୍ତାବକୁ ବିସିସିଆଇର ଖାରଜ

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ରମିଜ୍‌ ରାଜା ଦେଇଥିବା ପ୍ରସ୍ତାବକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଖାରଜ ଦେଇଛି । ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ନେସନ ଟି-୨୦ ସୁପର୍‌ ସିରିଜ୍‌ ଖେଳାଯିବାକୁ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ରମିଜ ରାଜା । କିନ୍ତୁ ଏହାକୁ ଖାରଜ କରିବା ସହ ଏହି ୪ ନେସନ ସୁପର ସିରିଜ ଆୟୋଜନ ହୋଇପାରିବ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି ବିସିସିଆଇ ସମ୍ପାଦକ ଶାହା ।

ସେ କହିଛନ୍ତି ପିସିବି ମୁଖ୍ୟ ରମିଜ କହିଥିଲେ ସେ ଆଇସିସିକୁ ୪ ନେସନ ସୁପର ସିରିଜ ଆୟୋଜନ କରିବା ନେଇ ପ୍ରସ୍ତାବ ଦେବେ । ଏଥିରେ ଯାହା ଫାଇଦା ହେବ ସେଥିରେ ଆଇସିସିର ସମସ୍ତ ସଦସ୍ୟ ଟିମଙ୍କୁ ପ୍ରତିଶତ ଅନୁଯାୟୀ ଅଂଶୀଦାର ହେବେ ଏବଂ ଭାରତ-ପାକିସ୍ତାନ ମଧ୍ୟରେ ଅଧିକ ମ୍ୟାଚ ଖେଳାଯିବାକୁ ଜୋର ଦିଆଯାଇପାରିବ ବୋଲି କହିଥିଲେ ରମିଜ । ବଡ କଥା ହେଉଛି ଭାରତ-ପାକିସ୍ତା ମଧ୍ୟରେ ପ୍ରାୟ ୧୦ ବର୍ଷ ହେବ ଦ୍ୱିପାକ୍ଷିକ ସିରିଜ୍‌ ହୋଇନାହିଁ । କେବଳ ଆଇସିସି ଓ ଏସିଆ କପକୁ ଛାଡି ଦେଲେ ଅନ୍ୟ କୌଣସି ଇଭେଣ୍ଟରେ ଉଭୟ କ୍ରିକେଟ ଖେଳିବାର ନଜିର୍‌ ନାହିଁ । ସେହିପରି ଶାହା କହିଛନ୍ତି ଯେ, ଆଇପିଏଲ ଏବଂ ଆଇସିସି ସିରିଜଗୁଡିକ ସହିତ ଟେଷ୍ଟ କ୍ରିକେଟ ଉପରେ ଜୋର ଦେବା ସହ ଘରୋଇ ପିଚରେ ଦ୍ୱିପାକ୍ଷିକ ସିରିଜ୍‌ ଖେଳିବା ଉପରେ ଜୋର ଦେଇଛି ଭାରତ ।

ଅନ୍ୟପକ୍ଷରେ ଅଲିମ୍ପିକରେ କ୍ରିକେଟକୁ ସାମିଲ ନେଇ ପ୍ରସ୍ତୁତ ଚାଲିଛି । ଏହା ହେଲେ କ୍ରିକେଟ ଆହୁରି ବିସ୍ତାର ହୋଇପାରନ୍ତା । କିନ୍ତୁ ଏହାକୁ ବ୍ୟବସାୟୀକରଣ କରିବା ଅପେକ୍ଷା କିଭଳି ଭାବେ କ୍ରିକେଟ ଆହୁରି ବିସ୍ତାର ହୋଇପାରିବ ସେ ନେଇ ଜୋର ଦେବା ଆବଶ୍ୟକ । ସୂଚନାଯୋଗ୍ୟ, ବର୍ତ୍ତମାନ ସ୍ଥିତିରେ ୪ ନେସନ ସିରିଜ ପାଇଁ ସମୟ ବାହାର କରିବା ବହୁତ କଷ୍ଟକର । ପ୍ରାୟ ସବୁ ଦେଶରେ ଟି-୨୦ ଲିଗ ହେଉଛି । ଯାହା ଦୁଇ ଦୁଇ ମାସ ଧରି ଚାଲୁଛି । ତେଣୁ ଏଭଳିୁ ସିରିଜ ପାଇଁ କୌଣସି ପ୍ରକାର ସମୟ ଦେଇ ହେବନାହିଁ ।