ନୂଆଦିଲ୍ଲୀ: ଲଙ୍ଗ୍ ଡ୍ରାଇଭରେ ଗାଡ଼ି ଚାଲିଥିବ; ପ୍ରେମିକା କାନ୍ଧରେ ଗୋଟିଏ ହାତ, ଷ୍ଟିଅରିଂ ଉପରେ ଗୋଟିଏ ହାତ । ଦୁହେଁ ହଜିଯାଇଥିବ ସ୍ୱପ୍ନର ରାଇଜରେ । ବାଧା ଦବନି କୋଉ ଟୋଲ ପ୍ଲାଜା । ଅଟକାଇବନି କୋଉ ସୁରକ୍ଷାକର୍ମୀ । ହେଲେ ଜମାଖାତାରୁ କଟି ଚାଲିଥିବ ଟଙ୍କା ଆଉ ଟଙ୍କା । ହୋଟେଲରେ ପହଂଚିଲା ବେଳକୁ ଆକାଉଂଟରେ ଟଙ୍କାଟିଏ ନଥିବ । ଖାଇ ସାରି ପେମେଂଟ ପାଇଁ ଡେବିଟ୍ କାର୍ଡ ଅଣ୍ଡାଳିଲା ବେଳକୁ ଫାଙ୍କା । କ’ଣ ହେଲା ଟଙ୍କା? କୋଉ ଚୋର ଚାଣ୍ଡାଳ ନେଲା । ବ୍ୟାଙ୍କ ଯାଇ ଖାତା ଯାଂଚ କଲାବେଳକୁ ଜଣାପଡ଼ିବ ଯେ ଆପଣ ଲଙ୍ଗ୍ ଡ୍ରାଇଭରେ ଯୋଉ ବାଟେ ବାଟେ ଯାଇଥିଲେ; ସେଇ ବାଟରେ ଖଞ୍ଜା ଯାଇଥିବା କ୍ୟାମେରା ଆପଣଙ୍କ ଅଜାଣତରେ ଜମାଖାତାରୁ ଟଙ୍କା ଲୁଟିନେଇଛି ।
ଏମିତି ଏକ ସମୟ ଖୁବ୍ ଶୀଘ୍ର ଆସୁଛି । କେନ୍ଦ୍ର ସରକାର ସବୁ ରାଜପଥ ଉପରୁ ଟୋଲ ପ୍ଲାଜା ହଟାଇବେ । ବିଶିଷ୍ଟ ଶକ୍ତିଶାଳୀ କ୍ୟାମେରା ଲଗାଇବେ । କ୍ୟାମେରା କୋଉଠି ଲଗାଯିବ ଓ କିପରି ଲଗାଯିବ, ସେ ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ସେଇ କ୍ୟାମେରା ଲେନ୍ସରେ ଆପଣଙ୍କ ଗାଡ଼ି ନମ୍ବର ପଡ଼ିବା କ୍ଷଣି ଜମାଖାତାରୁ ଟୋଲ ପ୍ଲାଜା ବାବଦକୁ ଟଙ୍କା କଟିଯିବ । କେତେବେଳେ କେତେ ଟଙ୍କା କଟିଯିବ; ତା’ର ହିସାବ ଖୋଜିଲା ବେଳକୁ ଗାଡ଼ି ମାଲିକ ଭିନ୍ନ ଏକ ରାଇଜରେ ଥିବେ ।
ଠିକ୍ ସେମିତି ଆଉ ରାସ୍ତାକଡ଼ରେ ଟ୍ରାଫିକ୍ ପୋଲିସଙ୍କ ମୁହଁ ଫୁଟାଣି ଦେଖିବାକୁ ମିଳିବନି । ଗାଡ଼ିର ଇନ୍ସୁରାନ୍ସ ସମେତ ଅନ୍ୟାନ୍ୟ କାଗଜପତ୍ର ଗୋଳମାଳିଆ ଥିଲେ; ରାସ୍ତାକଡ଼ରେ ଖଞ୍ଜାଯାଇଥିବା ବିଶିଷ୍ଟ କ୍ୟାମେରା ଆପଣଙ୍କ ଗାଡ଼ି ନମ୍ବର ଫଟୋ ଉଠାଇବ । ସାଙ୍ଗେସାଙ୍ଗେ କଟିଯିବ ଆପଣଙ୍କ ଜମାଖାତାରୁ ଜୋରିମାନା ବାବଦକୁ ଟଙ୍କା । ମାନିବାକୁ ପଡ଼ିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଣ୍ଡକୁ ।