ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା । ଆଜି ସକାଳ ୫ଟା ୩୬ରେ କିଛି ସେକେଣ୍ଡ ପାଇଁ ଥରିଉଠିଥିଲା ଦିଲ୍ଲୀ । ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରହିଛି । ଏପର୍ଯ୍ୟନ୍ତ ଏହି ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷୟକ୍ଷତି ହୋଇନାହିଁ ।
ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଧୌଲା କୂଆଁର ଦୁର୍ଗାବାଇ ଦେଶମୁଖ କଲେଜ ଅଫ ସ୍ପେଶାଲ ଏଜୁକେସନ ପାଖରେ ଥିବା ଜଣାପଡିଛି । ଏହି ଅଞ୍ଚଳରେ ଏକ ହ୍ରଦ ରହିଛି , ଯେଉଁଠି ପ୍ରତି ଦୁଇରୁ ତିନି ବର୍ଷରେ ଥରେ କମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥାଏ । ୨୦୧୫ ମସିହାରେ ଏହି ସ୍ଥାନରେ ୩.୩ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଥିଲା ।