ପୋଲ ଉପରୁ ଖସିଲା କାର୍, ବିଜେପି ବିଧାୟକଙ୍କ ପୁଅ ସହ ୭ ମୃତ

ମୁମ୍ବାଇ: ସୋମବାର ରାତି ପାଖାପାଖି ସାଢେ ୧୧ଟା ସମୟରେ ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲା ସେଲସୁରା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣାରେ ବିଜେପି ବିଧାୟକ ବିଜୟ ରହାଙ୍ଗଦଲେଙ୍କ ପୁଅ ଆବିଷ୍କାର ରହାଙ୍ଗଦଲେଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଛି ।

କାରଟି ଅତି ଦ୍ରୁତ ଗତିରେ ଆସୁଥିଲା। କାର୍ଟି ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା। ଫଳରେ ଏପରି ଦୁର୍ଘଟଣା ଘଟିଛି । ସମସ୍ତ ମୃତ ମେଡିକାଲ ଛାତ୍ର ବୋଲି ଜଣାପଡିଛି । ବିଜେପି ବିଧାୟକଙ୍କ ପୁଅ ଅଭିଷ୍କାର ତାଙ୍କ ସାଙ୍ଗମାନଙ୍କ ସହ କାର୍ ଯୋଗେ ଦେଓଲିରୁ ପାର୍ଟି ସାରି ୱାର୍ଦ୍ଧାକୁ ଯାଉଥିଲେ। ସେମାନେ ସମସ୍ତେ ସେଲସୁରା ବ୍ରିଜ୍ ଅତିକ୍ରମ କରୁଥିବା ବେଳେ ହଠାତ୍ ଗୋଟିଏ ଜଙ୍ଗଲୀ ପଶୁ ସେମାନଙ୍କ ଗାଡ଼ି ଆଗକୁ ଚାଲି ଆସିଥିଲା। ପଶୁଟିକୁ ରକ୍ଷା କରିବା ପାଇଁ ଗାଡ଼ି ଚାଳକ ଜଣଙ୍କ ହଠାତ୍ ବ୍ରେକ ଲଗାଇ ଦେଇଥିଲେ। ଫଳରେ କାର୍ଟି ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା।

ଅଭିଷ୍କାରଙ୍କ ବ୍ୟତୀତ ନୀରଜ ଚୌହାନ, ନୀତେଶ ସିଂହ, ବିବେକ ନନ୍ଦନ, ପ୍ରତ୍ୟୁଷ ସିଂହ, ଶୁଭମ ଜୈସୱାଲ ଓ ପବନ ଶକ୍ତିଙ୍କ ମୃତ୍ୟୁ ଘଟିଥିବା ୱାର୍ଦ୍ଧା ଏସ୍ପି ପ୍ରଶାନ୍ତ ହୋଲକର ପକ୍ଷରୁ ସୂଚନା ମିଳିଛି ।