ଏନଏସଇ ପୂର୍ବତନ ସିଇଓ ଚିତ୍ରାଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ : ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ଚିଫ ଏକଜିକ୍ୟୁଟିଭ ଅଫିସର ଚିତ୍ରା ରାମକୃଷ୍ଣଙ୍କୁ ସିବିଆଇ ଗିରଫ କରିଛି । ଅନ୍ୟପକ୍ଷରେ ଅଦାଲତ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ କରି ଦେବାରୁ ନୂଆଦିଲ୍ଲୀରୁ ତାଙ୍କୁ ହାଜତକୁ ନିଆଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଚିତ୍ରା ଏନଏସଇର ସିଇଓ ଥିଲେ । ଏନଏସଇର ପୂର୍ବତନ କର୍ମଚାରୀ ଆନନ୍ଦ ସୁବ୍ରମଣିୟମଙ୍କ ସମେତ ଚିତ୍ରା ରାମକୃଷ୍ଣ ସିବିଆଇ ରାଡାରରେ ଥିଲେ ।

ସୂଚନାଯୋଗ୍ୟ ଯେ, ହିମାଳୟରେ ଅବସ୍ଥାନ କରୁଥିବା ଜଣେ ଯୋଗୀଙ୍କ ନିକଟକୁ ଏନଏସଇ ସମ୍ବନ୍ଧୀୟ ଗୋପନୀୟ ସୂଚନାବଳୀ ଇମେଲ ଜରିଆରେ ପଠାଉଥିଲେ ବୋଲି ଚିତ୍ରାଙ୍କ ଉପରେ ଦୋଷାରୋପ କରାଯାଇଛି । ଅଜ୍ଞାତ ଯୋଗୀଜଣକ ବାସ୍ତବରେ ସୁବ୍ରମଣିୟମ ବୋଲି ସନ୍ଦେହ କରାଯାଉଛି । ୨୦୧୦ରୁ ୨୦୧୫ ମଧ୍ୟରେଏନଏସଇ ରେ ଅନୈତିକ କାର୍ଯ୍ୟ ହୋଇଥିବା କଥା ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ପାଇଥିବା ତଥ୍ୟାବଳୀକୁ ସାର୍ବଜନୀନ କରିବା ପରେ ଉପରୋକ୍ତ ପ୍ରସଙ୍ଗ ଜଣାପଡିଥିଲା । ଜାରି କରିଥିବା ଆଦେଶନାମାରେ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ କହିଛି ଯେ ଚିତ୍ରା ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଇ-ମେଲ ଆଇଡିକୁ ଅଭ୍ୟନ୍ତରୀଣ ଗୁପ୍ତ ତଥ୍ୟାବଳୀ ପଠାଇଥିବା ତଥ୍ୟଗତ ପ୍ରମାଣ ଅଛି ।