ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାର ତଦନ୍ତ କରିବ ସିବିଆଇ

କୋଲକାତା : ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ମାମଲାରେ ତଦନ୍ତ କରିବ ସିବିଆଇ । କୋଲକାତା ହାଇକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ନିର୍ବାଚନ ପରେ ହତ୍ୟା ଓ ଦୁଷ୍କର୍ମ ପରି ମାମଲା ବଢିବା ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ହିଂସା ଘଟଣାର ତଦନ୍ତ କରିବା ପାଇଁ ଏକ ଏସଆଇଟି ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି କମିଟିରେ ଜଣେ ପଶ୍ଚିମବଙ୍ଗ କ୍ୟାଡ଼ର ଅଧିକାରୀ ରହିବେ । କୋର୍ଟ ୬ ସପ୍ତାହ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ଲାଗିଛି ଝଟ୍‌କା ।

ଖବର ଅନୁଯାୟୀ, କିଛି ମାସ ତଳେ ପଶ୍ଚିମବଙ୍ଗର ନିର୍ବାଚନ ସରିବା ସହ ଏଥିରେ ମମତାଙ୍କ ଦଳ ଟିଏମ୍‌ସି ବିଜୟୀ ହୋଇଥିଲା । କିନ୍ତୁ ରାଜ୍ୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ପ୍ରତିଦିନ ରାଜ୍ୟର ଅନେକ ସ୍ଥାନରୁ ହିଂସାକାଣ୍ଡର ଖବର ଆସୁଥିଲା । ହତ୍ୟା ଓ ଦୁଷ୍କର୍ମ ପରି ମାମଲା ବଢିଚାଲିଲା । ଏହାପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । କୋଲକାତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିଦଲଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଶୁଆଣି ସମୟରେ ହାଇକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ରାଜ୍ୟରେ ନିର୍ବାଚନୀ ପରବର୍ତ୍ତୀ ହିଂସା କାଣ୍ଡ ଘଟଣାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଅନ୍ୟ ଅପରାଧୀଙ୍କ ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠିତ କରାଯିବ। ତଦନ୍ତ କମିଟି ନିଜର ରିପୋର୍ଟ ହାଇକୋର୍ଟରେ ଦାଖଲ କରିବେ ।
ସୂଚନା ଥାଉକି, ରାଜ୍ୟରେ ନିର୍ବାଚନୀ ପରବର୍ତ୍ତୀ ହିଂସାକାଣ୍ଡ ପଛରେ ଟିଏମ୍‌ସି ନେତା ରହିଥିବା ବିଜେପି ଅଭିଯୋଗ କରିଛି । ଉଦ୍ଦେଶମୂଳକ ଭାବେ ଟିଏମ୍‌ସି ଏପରି କରୁଛି ବିଜେପି ନେତା ଦାବି କରିଥିଲେ । ନିର୍ବାଚନୀ ପରବର୍ତ୍ତୀ ହିଂସା ନେଇ ବିଜେପି ସର୍ବଦା ଟିଏମ୍‌ସିକୁ ଟାର୍ଗେଟ କରିଆସିଛି ।