ଡେରାଡୁନ୍: ଆଜିଠୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। କରୋନା ଯୋଗୁଁ ଦୀର୍ଘ ସମୟ ଧରି ସ୍ଥଗିତ ଥିବା ଚାରିଧାମ ଯାତ୍ରା ଆଜିଠୁ ଅର୍ଥାତ୍ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି। ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ପକ୍ଷରୁ ଏହା ଉପରୁ ଗୁରୁବାର ରୋକ ହଟାଯାଇଥିଲା। ପରେ ଶୁକ୍ରବାର ସରକାରଙ୍କ ପକ୍ଷରୁ ଚାରିଧାମ ଯାତ୍ରା ନେଇ ଏସ୍ଓପି ଜାରି ହୋଇଛି। ଯାତ୍ରା ବେଳେ କୋଭିଡ-୧୯ର ସହ ଜିଡତ ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି। ତେବେ ଚାରିଧାମ ଯାତ୍ରା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଇ-ପାସ୍ ଦରକାର ପଡିବ। ବିନା ଇ-ପାସରେ ଠାକୁର ଦର୍ଶନ ମନା ହୋଇଛି। କେଦାରନାଥ, ବଦ୍ରିନାଥ, ଗାଙ୍ଗୋତ୍ରି ଏବଂ ଯମୁନୋତ୍ରି ଧାମର ଦର୍ଶନ ପାଇଁ ଆସୁଥିବା ଯାତ୍ରୀମାନଙ୍କୁ ପଞ୍ଜୀକରଣ କରିବାକୁ ପଡିବ। ଏହା ପରେ ଇ-ପାସ୍ ପ୍ରଦାନ କରାଯିବ। ଏହା ପରେ ହିଁ ସମସ୍ତ ଚାରୋଟି ଧାମ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ। ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ମାର୍ଟ ସିଟି ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ। ଏଥିସହ କରୋନା ଟିକାର ଦୁଇଟି ଡୋଜ୍ ନେବାର ୧୫ ଦିନ ପରେ ପ୍ରମାଣ ପତ୍ର ଦେଖାଇବା ପରେ ହିଁ ଯାତ୍ରା ପାଇଁ ଅନୁମତି ମିଳିବ। କିନ୍ତୁ କେରଳ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଯାତ୍ରୀଙ୍କୁ କରୋନା ଟିକାର ଦୁଇଟି ଡୋଜ୍ ନେବାର ୭୨ ଘଣ୍ଟା ପରେ ଆର୍ଟି-ପସିଆର୍ ଟେଷ୍ଟ କରିବାକୁ ପଡିବ। ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସେମାନଙ୍କୁ ଚାରିଧାମ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ରେ କୁହାଯାଇଛି।