ମାଟିରେ ମିଶିବ ବିଜେପି ନେତ୍ରୀ ଫୋଗଟଙ୍କ ହତ୍ୟାକାଣ୍ଡ ଜଡ଼ିତ କ୍ଲବ

ଲୋକମାନେ ତାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ…..

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କୁ ଯେଉଁ କ୍ଲବରେ ନିଶାଦ୍ରବ୍ୟ ପିଆଇ ଦିଆଗଲା । ଉକ୍ତ କ୍ଲବଟି ବେଆଇନ ଭାବେ ନିର୍ମାଣ କରାଯାଇଥିବାରୁ ଗ୍ରୀନ୍‌ ଟ୍ରିବୁନାଲ ଆଦେଶ ଅନୁସାରେ ତାକୁ ମାଟିରେ ମିଶାଇବା ପାଇଁ ପ୍ରସ୍ତୁତି ଚାଲିଛି ।
ଗୋଆର କର୍ଲିଜ କ୍ଲବକୁ ବଂଚାଇବା ପାଇଁ ତା’ର ମାଲିକ ଗୋଆ କୋଷ୍ଟାଲ ଜୋନ୍‌ ମ୍ୟାନେଜମେଂଟ ଅଥରିଟିଙ୍କ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ।

ମାତ୍ର ତାଙ୍କ ପିଟିସନ୍‌କୁ କୋର୍ଟ ଖାରଜ କରି ଦେଇଛନ୍ତି । ପୁଲିସ ଉକ୍ତ କ୍ଲବକୁ ସିଲ୍‌ କରିଛି । ଇତିମଧ୍ୟରେ ସୋନାଲିଙ୍କ ହତ୍ୟା ଅଭିଯୁକ୍ତ ସୁଧୀର ସାଙ୍ଗୱାନ୍‌ ଓ ସୁଖବିନ୍ଦରଙ୍କୁ ଦୁଇଦିନ ପାଇଁ ରିମାଣ୍ଡରେ ନେଇଛି ପୁଲିସ । ୧୫ ଦିନ ଭିତରେ କ୍ଲବକୁ ସଂପୂର୍ଣ୍ଣ ଭାଙ୍ଗିବା ପାଇଁ ଏନ୍‌ଜିଟି ଆଦେଶ ଦେଇଛି । କ୍ଲବକୁ ଦିଆଯାଇଥିବା ବିଜୁଳି ଓ ପାଣି ସଂଯୋଗକୁ କାଟିବା ପାଇଁ ଆଦେଶ ଜାରି କରାଯାଇଛି । ତା’ ସହିତ ବାର ଲାଇସେନ୍ସ ରଦ୍ଦ କରିବା ପାଇଁ ଅବକାରୀ ବିଭାଗକୁ ଆଦେଶ ଦିଆଯାଇଛି ।

ଅଗଷ୍ଟ ୨୩ ତାରିଖ ସକାଳେ ଉକ୍ତ କ୍ଲବରେ ସୋନାଲି ଫୋଗଟଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ସୁଧୀର ସାଙ୍ଗୱାନ ଓ ତାଙ୍କ ସହକର୍ମୀ ସୁଖବିନ୍ଦରଙ୍କ ସହିତ ଦେଖିବାକୁ ମିଳିଥିଲା । ତା’ପରେ ଲୋକମାନେ ତାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ୨୦୧୬ ଜୁଲାଇ ୨୧ ତାରିଖରୁ ଗୋଆ କୋଷ୍ଟାଲ ମ୍ୟାନେଜମେଂଟ ଅଥରିଟି ଉକ୍ତ କ୍ଲବକୁ ବେଆଇନ ଘୋଷଣା କରି ଭାଙ୍ଗିଦେବାକୁ ଆଦେଶ ଜାରି କରିଥିଲେ । ସେଇ ଦିନଠାରୁ ମାମଲା ଗ୍ରୀନ ଟ୍ରିବୁନାଲରେ ଗଡ଼ି ଚାଲିଥିଲା ।