୪ ଅଣ୍ଡା ବୋଝେଇ ଟ୍ରକ୍‌ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ

ଗୁୱାହାଟି: ମିଜୋରାମ ଅଭିମୁଖେ ଯାଉଥିବା ୪ଟି ଟ୍ରକକୁ ଆସାମର କଛର ଜିଲ୍ଲାରେ ଅଟକାଇ ଲୋକେ ଭଙ୍ଗାରୁଜା କରିଛନ୍ତି । ଆସାମ ସରକାର ମିଜୋରାମ ବିରୋଧରେ ଜାରି କରିଥିବା ଭ୍ରମଣ ନିଷେଧାଦେଶକୁ ୱିଡ୍ର କରିନେଇଥିଲେ । ତେବେ ଆବଶ୍ୟକୀୟ ସାମଗ୍ରୀ ଆମଦାନୀ-ରପ୍ତାନୀ ପାଇଁ ଗାଡ଼ି ଛାଡ଼ିବାକୁ ସ୍ଥାନୀୟ ଲୋକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସତ୍ତେ୍ୱ ବି ଆସାମ ଲୋକ ମିଜୋରାମ ଯାଉଥିବା ଟ୍ରକକୁ ଭାଙ୍ଗି ଦେଇଛନ୍ତି ।ଟ୍ରକଗୁଡ଼ିକ ଆସାମର ଅଣ୍ଡା ନେଇ ମିଜୋରାମ ଯାଉଥିଲେ । ବାଘା ବଜାରରେ ଟ୍ରକ୍‌ ପହଞ୍ଚିବା ପରେ ସେଠାକାର ଲୋକେ ଗାଡ଼ି ଅଟକାଇବା ସହିତ ଟ୍ରକ କେଉଁଆଡ଼ ଯାଉଛି ବୋଲି ପଚାରିଥିଲେ । ଗାଡ଼ି ମିଜୋରାମ ଯାଉଛି ବୋଲି ଟ୍ରକ ଡ୍ରାଇଭର କହିବା ପରେ ଉତ୍ୟକ୍ତ ଲୋକେ ଗାଡ଼ିଗୁଡ଼ିକ ଭଙ୍ଗାରୁଜା କରିବା ସହିତ ଅଣ୍ଡାସବୁକୁ ରାସ୍ତାରେ ପିଙ୍ଗିଦେଇଥିଲେ । ଖବର ପାଇଁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ।