ଗଣତନ୍ତ୍ରକୁ ଶୋଷଣ କରୁଛନ୍ତି ଭ୍ରଷ୍ଟାଚାରୀ ଦଳ

ଭାରତର: ସମ୍ବିଧାନକୁ ପ୍ରତି ମିନିଟରେ ଲୁଣ୍ଠନ କରାଯାଉଛି । ତା’ର ପ୍ରତିଟି ଧାରାକୁ ଉଲ୍ଲଙ୍ଘନ କରୁଛନ୍ତି କ୍ଷମତାସୀନ ସରକାର । ଦଳ ବା ମେଂଟର ସ୍ୱାର୍ଥରକ୍ଷା ପାଇଁ ସମ୍ବିଧାନ ସଂଶୋଧନ କରିବାକୁ ପଛାଉ ନାହାନ୍ତି କ୍ଷମତାସୀନ ଦଳ ବା ମେଂଟ ।

ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ କେବଳ ଭୋଟରଙ୍କ ମନ ବୁଝାଇବା ପାଇଁ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ କୋଉ ରାଜନୈତିକ ଦଳ କେତୋଟି ଆସନ ପାଇବ; ତାହାକୁ ଦୃଷ୍ଟିରେ ରଖି ଇଭିଏମକୁ ତୟାର କରାଯିବ ।

ଖୋଦ ବିଜେପି ବିରୋଧୀ ଆସନରେ ବସିଥିଲା ବେଳେ ଇଭିଏମକୁ କ୍ଷମତାସୀନ ଦଳର ଭୋଟ ବ୍ୟାଙ୍କ କହୁଥିଲା । ଏବେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ ପଛରେ ଇଭିଏମ କମାଲ ବୋଲି କହୁଛି ।

ଇଭିଏମ କମାଲ ସଂପର୍କୀତ କିଛି ମାମଲା ସୁପ୍ରିମକୋର୍ଟଙ୍କ ଦରଜା ଖଟଖଟ କରିବା ମାତ୍ରେ ୟୁପିରେ ପ୍ରାୟ ୮୦୦ ଇଭିଏମକୁ ପୋଡ଼ି ଦିଆଯାଇଛି । ନିର୍ବାଚନ କମିଶନ ଆଉ ନିରପେକ୍ଷ ସଂସ୍ଥା ହୋଇ ରହିନାହିଁ ।

ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ସହଯୋଗୀ କମିଶନରଙ୍କୁ ନିଯୁକ୍ତ ପାଇଁ ଗଠିତ କମିଟିର ତିନିଜଣ ସଭ୍ୟଙ୍କ ଭିତରୁ ପ୍ରଥମ ଜଣକ ପ୍ରଧାନମନ୍ତ୍ରୀ, ଦ୍ୱିତୀୟ ଜଣକ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ଓ ତୃତୀୟ ଜଣକ ବିରୋଧୀ ଦଳର ନେତା ରହିବାର ବ୍ୟବସ୍ଥା କରାଯାଇଛି ।

ଏପରି ନିଯୁକ୍ତ ବ୍ୟବସ୍ଥାରେ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ସହଯୋଗୀ କମିଶନର ପଦରେ ପ୍ରଧାନମନ୍ତ୍ରୀଙ୍କ ପସନ୍ଦ ମୁତାବକ ଅଧିକାରୀମାନେ ନିଯୁକ୍ତି ପାଇବେ । ଏଥିରେ ଆପଣାମାନେ ବିଚାର କରନ୍ତୁ; ଗଣତନ୍ତ୍ରକୁ ହତ୍ୟା କରାଯିବାର ବନ୍ଦୋବସ୍ତ କରାଯାଇଛି କି ନାହିଁ ।

ସାରା ଦୁନିଆ ପାଇଁ ଉଦାହରଣ ପାଲଟିଥିବା ଭାରତର ଗଣତନ୍ତ୍ର ଶାସନ ଆଉ ୧୪୦ କୋଟି ଲୋକଙ୍କ ସରକାର ହୋଇରହିଲା କୋଉଠି? ଯୋଉଠି ଗଣମାଧ୍ୟମଗୁଡ଼ିକ କ୍ଷମତାସୀନ ଦଳ ବା ମେଂଟର ଗୋଲାମ  ଚରିତ୍ରରେ ଅବତୀର୍ଣ୍ଣ । ସେଠି ୧୪୦ କୋଟି ଲୋକଙ୍କ ପାଖରେ ଆଉ ସ୍ୱାଧୀନତା ବୋଲି କ’ଣ ରହିଲା?