ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଭାବେ ଅବସରପ୍ରାପ୍ତ ଲେଫ୍ଟନାଂଟ ଜେନେରାଲ୍ ଅନିଲ ଚୌହ୍ୱାନଙ୍କୁ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ସେ ସୈନ୍ୟ ମାମଲା ବିଭାଗର ମୁଖ୍ୟ ସଚିବ ଭାବେ କାମ କରିବେ । ଜେନେରାଲ୍ ବିପିନ୍ ରାଓତଙ୍କ ଦେହାନ୍ତ ପରେ ସିଡିଏସ୍ ପଦବୀ ଖାଲି ରହିଥିଲା ।
ଅନିଲ ଚୌହ୍ୱାନ୍ ପୂର୍ବ ପ୍ରତିରକ୍ଷା ବିଭାଗର ଅଫିସର୍ କମାଣ୍ଡିଂ ଇନ୍ ଚିଫ୍ ଭାବେ କାମ କରିଛନ୍ତି । ୨୦୧୯ ସେପ୍ଟେମ୍ବର ପହିଲାରୁ ସେ ଉକ୍ତ ପଦବୀକୁ ସମ୍ଭାଳିଥିଲେ । ଅନିଲ ଚୌହ୍ୱାନ ଭାରତୀୟ ସେନାର ଡିଜିଏମ୍ଓ ରହି ସାରିଛନ୍ତି । ୧୯୮୧ରୁ ୨୦୨୧ ପର୍ଯ୍ୟନ୍ତ ସେ ସେନା ବିଭାଗର ବିଭିନ୍ନ ଦାୟିତ୍ୱକୁ ଦକ୍ଷତାର ସହ ତୁଲାଇଛନ୍ତି । ନିଷ୍ଠାପର ସହିତ କାମ କରିଥିବାରୁ ସେ ପରମ ବିଶିଷ୍ଟ ସେବା ପଦକ, ଉତମ ଯୁଦ୍ଧସେବା ପଦକ, ଅତି ବିଶିଷ୍ଟ ସେବା ପଦକ, ସେନା ପଦକ, ବିଶିଷ୍ଟ ସେବା ପଦକ ଲାଭ କରିଛନ୍ତି ।
ଏଠାରେ ଜଣାଇ ଦିଆଯାଉଛି, ୨୦୨୧ ଡିସେମ୍ବର ପହିଲା ଦିନ ୧୨ଟା ୨୦ ମିନିଟ୍ରେ ତାମିଲନାଡୁର କୁନ୍ନୁରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉକ୍ତ ହେଲିକପ୍ଟରରେ ଦେଶର ପ୍ରଥମ ସିଡିଏସ୍ ବିପିନ୍ ରାଓତ ଓ ତାଙ୍କ ଧର୍ମପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ଯାତ୍ରା କରୁଥିଲେ । ଘଟଣାସ୍ଥଳରେ ମଧୁଲିକାଙ୍କ ସମେତ ଅନ୍ୟ ଯାତ୍ରୀମାନେ ପ୍ରାଣ ହରାଇଥିଲେ । ମାତ୍ର ଗୁରୁତର ଆହତ ବିପିନ୍ ରାୱତଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଡିସେମ୍ବର ୮ ତାରିଖରେ ଡାକ୍ତରଖାନା ପକ୍ଷରୁ ତାଙ୍କର ମୃତ୍ୟୁ ଘୋଷଣା କରାଗଲା ।