ମା’ଙ୍କର ଦ୍ୱିତୀୟ ବିବାହ କରାଇ ଝିଅ ଖୁସି

ମା’ଙ୍କର ନିଃସଙ୍ଗ ଜୀବନକୁ ହସଖୁସିଭରା କରି ଦେଇଛନ୍ତି ୨୫ ବର୍ଷୀୟା ଦେବାର୍ତି ଚକ୍ରବର୍ତୀ । ୫୦ ବର୍ଷୀୟା ମା’ଙ୍କର ନବବଧୂ ବେଶକୁ ଦେଖି ଦେବର୍ତି ଖୁସିରେ ଆତ୍ମହରା ହୋଇ କହିଛନ୍ତି, ମା’ଙ୍କୁ ଏହି ରୂପରେ ଦେଖିବା ପାଇଁ ମୋତେ ବହୁତ ପରିଶ୍ରମ କରିବାକୁ ପଡ଼ିଛି । ନୂଆ ଜୀବନ ସାଥୀକୁ ପାଇ ମା’ ମୌସୁମୀ ବେଶ ଖୁସି ଅଛନ୍ତି ବୋଲି ଦେବର୍ତି କହନ୍ତି । ପିଲାଦିନର କଥା ମନେପକାଇ ଦେବର୍ତି କହନ୍ତି, ତାଙ୍କ ବାପା ଜଣେ ଲୋକପ୍ରିୟ ଡାକ୍ତର ଥିଲେ । ତାଙ୍କୁ ଦୁଇବର୍ଷ ହୋଇଥିଲା ବେଳେ ତାଙ୍କର ବାପା ହଠାତ୍‌ ମୃତ୍ୟୁବରଣ କଲେ । ସେତେବେଳେ ମା’ ମୌସୁମୀଙ୍କର ବୟସ ମାତ୍ର ୨୫ ବର୍ଷ । ପୈତୃକ ସଂପତିରୁ ବାପାଙ୍କ ଭାଗ ମାଡ଼ିବସିଲେ ଦାଦା । ମାମଲା କୋର୍ଟକୁ ଯିବାରୁ ଝିଅକୁ ଧରି ମୌସୁମୀ ଅଜାଙ୍କ ଘରେ ରହିଲେ । ଶିକ୍ଷକତା କରି ଦେବର୍ତିଙ୍କୁ ଛୋଟରୁ ବଡ଼ କଲେ ।
ଏକୁଟିଆ ରହିବା ଫଳରେ ମା’ ସାମାନ୍ୟ କଥାରେ ଚିଡି ଉଠନ୍ତି । ବେଳେବେଳେ ଉଦାସ ରହନ୍ତି । ସ୍ୱାମୀ ବିନା ଜୀବନ କାଟିବା କେତେ କଷ୍ଟଦାୟକ, ମା’ଙ୍କ ହାବଭାବରୁ ଦେବାର୍ତି ଜାଣିପାରିଲେ । ବଡ଼ ହେଲେ ମା’ଙ୍କର ଦ୍ୱିତୀୟ ବିବାହ କରିଦେବେ ବୋଲି ମନେମନେ ସଂକଳ୍ପ କଲେ । ଦେବାର୍ତି ଅଧ୍ୟୟନ ଶେଷ କରି ମୁମ୍ବାଇର ଏକ କମ୍ପାନୀରେ ଚାକିରି କଲେ । ମା’ଙ୍କୁ ନେଇ ପାଖରେ ରଖିଲେ । ମନକଥା ମା’ଙ୍କୁ କହି ପୁରୁଷ ବନ୍ଧୁ ବାଛିବାକୁ ପରାମର୍ଶ ଦେଲେ ।

ପ୍ରଥମେ ପ୍ରଥମେ ମା’ ମୌସୁମୀ ରାଜି ହେଉ ନଥିଲେ । ମାତ୍ର ଧୀରେଧୀରେ ତାଙ୍କ ଚିନ୍ତାଧାରା ବଦଳିଲା । ସେ ଜନୈକ ପୁରୁଷ ସହ ବନ୍ଧୁତା ସ୍ଥାପନ କଲେ । ବନ୍ଧୁତାକୁ ପ୍ରେମ ଓ ବିବାହରେ ପରିଣତ କରିବାକୁ ମା’ଙ୍କୁ ପ୍ରବର୍ତାଇଲେ ଦେବାର୍ତିିର୍ । ଏପରିକି ନିଜେ ମଧ୍ୟ ଏ ଦିଗରେ ମା’ଙ୍କୁ ସାହାଯ୍ୟ କଲେ । ଦେବାର୍ତିଙ୍କ ଏକନିଷ୍ଠ ଉଦ୍ୟମ ଫଳବତୀ ହେଲା ।
ମୌସୁମୀଙ୍କ ଜୀବନକୁ ଆସିଲେ ୫୦ ବର୍ଷୀୟ ସ୍ୱପନ । ସ୍ୱପନଙ୍କର ଏହା ପ୍ରଥମ ବିବାହ । ସ୍ୱପନଙ୍କୁ ବାପା ଭାବେ ପାଇ ଦେବାର୍ତି ଖୁସି ଅଛନ୍ତି । ତିନିହେଁ ବେଶ ଖୁସିରେ ରହୁଛନ୍ତି ।