ମୁମ୍ବାଇ: ମୁମ୍ବାଇ ଲାଗି ରହିଥିବା ଭୀଷଣ ବର୍ଷା ପ୍ରଭାବରେ ମହାନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଜଳପ୍ଳାବନ ଜନିତ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଯୋଗୁ ରେଳଲାଇନ ଉପରେ ପାଣି ଜମିରହିଥିବାରୁ ମୁମ୍ବଇ ମହାନଗରୀ ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ସୋମବାର ସକାଳେ ଭୀଷଣ ବର୍ଷା ହେବା ଦ୍ୱାରା କେନ୍ଦ୍ରୀୟ ମୁଖ୍ୟ ଲାଇନ ଏବଂ ହାର୍ବର ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିସହିତ ସମୁଦାୟ ମହାନଗରରେ ଯାନବାହନ ଓ ଜନସାଧାରଣଙ୍କ ଚଳାଚଳରେ ମଧ୍ୟ ଗୁରୁତର ସମସ୍ୟା ପରିଲକ୍ଷିତ ହୋଇଛି । ଅନେକ ଅଞ୍ଚଳ ଜଳ ଘେରରେ ରହିଥିବାବେଳେ ମହାନଗରରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧିପାଇଛି । ଏଭଳି ଦୁଃଖଦ ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ସେ ପ୍ରତି ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ବର୍ଷା ଏବଂ ଘର ଭୁଷୁଡିବା ଭଳି ଘଟଣାୋର ଆହତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେବାକୁ ମଧ୍ୟ ଉଦ୍ଧବ ଘୋଷଣା କରିଛନ୍ତି ।