ଯଜ୍ଞପୀଠରେ ହାତୀ ଦଳିଲା ତିନିଜଣଙ୍କୁ

କଳସ ଯାତ୍ରା ଆୟୋଜନ ଚାଲିଥିବା ଭିତରେ କିଛି ମହିଳା ହାତୀକୁ କିଛି ଖୁଆଇବାକୁ ଉଦ୍ୟମ କରିଥିଲେ…

ଗୋରଖପୁର: ୟୁପି ଗୋରଖପୁର ଅନ୍ତର୍ଗତ ଏକ ଗ୍ରାମରେ ଯଜ୍ଞପୀଠଟି ମହିଳାଙ୍କ ଲୁହରେ ଭିଜିଯାଇଛି । ଯଜ୍ଞକୁ ଅଧିକ ଜାକଜମକ କରିବା ପାଇଁ ଆୟୋଜକମାନେ ଗୋଟିଏ ହାତୀକୁ ଆଣିଥିଲେ । କଳସ ଯାତ୍ରା ପୂର୍ବରୁ କୌଣସି କାରଣରୁ ହାତୀଟି ଭଡ଼କି ଯାଇଥିଲା । ଦୁଇଟି ହାତୀ ଭିତରୁ ଗୋଟିଏ ଶ୍ରଦ୍ଧାଳୁଙ୍କୁ ହମ୍‌ଲା କରିଥିଲା । ଜୀବନ ବିକଳରେ ଲୋକମାନେ ଏଣେତେଣେ ଦୌଡ଼ାଦୌଡ଼ି କରିବା ଭିତରେ ହାତୀ ପାହୁଣ୍ଡରେ ତିନିଜଣ ପ୍ରାଣ ହରାଇଛନ୍ତି ।

ସୂଚନା ମୁତାବକ ପ୍ରାୟ ୫-୬ଟି ଗ୍ରାମର ଲୋକମାନେ ଏକଜୁଟ ହୋଇ ଗୋଟିଏ ନଦୀକୂଳରେ ଥିବା ବଡ଼ ପଡ଼ିଆରେ ଯଜ୍ଞ ଆୟୋଜନ କରିଥିଲେ । ଯଜ୍ଞ ଆୟୋଜକ ଦୁଇଟି ହାତୀକୁ ଆଣିଥିଲେ । କଳସ ଯାତ୍ରା ଆୟୋଜନ ଚାଲିଥିବା ଭିତରେ କିଛି ମହିଳା ହାତୀକୁ କିଛି ଖୁଆଇବାକୁ ଉଦ୍ୟମ କରିଥିଲେ । ତେବେ କେଜାଣି କାହିଁକି ଦୁଇଟି ହାତୀ ଭିତରୁ ଗୋଟିଏ ହଠାତ୍‌ ରାଗିଗଲା ଓ ଲୋକଙ୍କ ଆଡ଼କୁ ମାଡ଼ିଗଲା ।

ହାତୀ ଆକ୍ରମଣରେ ୫୦ ବର୍ଷୀୟା କୌଶଲ୍ୟା ଦେବୀ, ତାଙ୍କ ସ୍ୱାମୀ ଦିଲୀପ ମନ୍ଦେଶିୟା, ତାଙ୍କର ଚାରିବର୍ଷର ନାତୁଣୀ କୃଷ୍ଣା ଓ କାନ୍ତିଦେବୀ ନାମ୍ନୀ ଆଉ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ । ହାତୀଟି ଜଣକ ପରେ ଜଣ କରି ତିନିଜଣଙ୍କୁ ଶୁଣ୍ଢରେ ଟେକି ତଳେ କଚାଡ଼ିବା ପରେ ପାହୁଣ୍ଡ ପକାଇ ଦଳି ଦେଇଥିଲା । ଘଟଣାସ୍ଥଳରେ ତିନିଜଣ ପ୍ରାଣ ହରାଇଥିଲେ । ହାତୀର ଉଗ୍ରରୂପ ଦେଖି ଉପସ୍ଥିତ ଲୋକମାନେ ପଳାୟନ କଲେ । ତହୁଁ ହାତୀଟି ଧାନବିଲ ଆଡ଼କୁ ପଳାଇଲା ।